ଯାତ୍ରୀବସ୍‌-ବାଇକ ମୁହାଁମୁହିଁ ଧକ୍କା; ଜଣେ ଯୁବକଙ୍କ ମୃତ୍ୟୁ ଓ ଅନ୍ୟ ଜଣେ ଗୁରୁତର, ଜାତୀୟ ରାଜପଥରେ ଉତ୍ତେଜନା

ବନ୍ତଳା: ଅନୁଗୁଳ ବ୍ଲକ ସଦର ଥାନା ଅଞ୍ଚଳରେ ଏକ ମର୍ମନ୍ତୁତ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ ଅନୁଗୁଳ ବ୍ଲକ ରନ୍ତଲେଇ ପଂଚାୟତ ହରିବେରେଣୀ ଗ୍ରାମରେ ଆଜି ଏକ ମଘମେଳା ଆୟୋଜିତ ହୋଇଥିଲା। ଏହି ମେଳା ପାଇଁ ଆବଶ୍ୟକ ସାମଗ୍ରୀ କିଣିବାକୁ ଗ୍ରାମର ଗୋଗୁଲ ନାଏକ(୩୦) ଓ ଶୁକ୍ର ନାଏକ(୨୬) ଆଜି ଦିନ ପ୍ରାୟ ୨ ବେଳେ ନିଜ ଗାଁରୁ ଏକ ବାଇକ ଯୋଗେ ଅନୁଗୁଳ ଅଭିମୁଖେ ଯାଉଥିଲେ।

ତେବେ ରନ୍ତଲେଇ ପାଞ୍ଜିଆ ବନ୍ଧ ପାଖରେ ତାଙ୍କ ବାଇକଟି କପିଧ୍ୱଜ ନାମକ ଏକ ବସ (ଓଆର-୧୩-୧୫୬୭)କୁ ମୁହାଁମୁହିଁ ଧକ୍କା ଦେଇଥିଲା।ଫଳରେ ଘଟଣାସ୍ଥଳରେ ଉଭୟେ ଗୁରୁତର ହୋଇପଡିଥିଲେ। ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ଗୋଗୁଲଙ୍କ ମୃତ୍ୟୁ ଘଟିଥିବା ବେଳେ ଶୁକ୍ରଙ୍କ ଅବସ୍ଥା ଗୁରୁତର ରହିଛି।

ଏହି ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ପ୍ରାୟ ଘଣ୍ଟାଏ ସମୟ ୫୫ନମ୍ବର ଜାତୀୟ ରାଜପଥକୁ ସ୍ଥାନୀୟ ଲୋକମାନେ ଅବରୋଧ କରିଥିବା ବେଳେ ଶହଶହ ଗାଡି ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଥିଲେ। ସେପଟେ ଅନୁଗୁଳ ସଦର ଥାନା ଆଇଆଇସି ପ୍ରଭାତ ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧିତ ଖବର