ଜୟପୁର: ଆଜି ଅପରାହ୍ନ ୪ଟା ବେଳେ ଜୟପୁର ସଦରଥାନା ଅର୍ନ୍ତଗତ ଆମ୍ବାଗୁଡା ବିଜେ-୨ ନିକଟସ୍ଥ ଦେବକୀ ଶୀତଳଭଣ୍ଡାର ସମ୍ମୁଖରେ ଠିଆ ହୋଇଥିବା ଟ୍ରଲରକୁ ପଛପଟରୁ ବାଇକ ପିଟି ହେବା ଫଳରେ  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇ କ‌ୋରାପୁଟ ଏସଏଲଏନ୍ ବଡଡାକ୍ତରଖାନାରେ ଭର୍ତ୍ତି ହୋଇଛି। ମୃତକ ଜଣକ ହେଲେ ନବରଙ୍ଗପୁର କେଉଟସାହିର ରଜନୀକାନ୍ତ (ମୁନ୍ନା) ଦଳାଇ (୨୦)। ଗୁରତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି  ହରିଓମ ପୁଜାରୀ (୨୦)।

Advertisment

ମିଳିଥିବା ସୂଚନା ମୁତାବକ, ଜାତୀୟ ରାଜପଥ ୨୬ରେ ବୋରିଗୁମ୍ମା ଆଡକୁ ମୁହଁ କରି ଟ୍ରଲରଟି ବିଜେ-୨ ନିକଟରେ ଥିବା କୋଲଡଷ୍ଟୋରେଜ୍ ସମ୍ମୁଖ ରାସ୍ତା ପାର୍ଶ୍ବରେ ଠିଆ ହୋଇ ରହିଥିଲା। ଶିବରାତ୍ର ପୂର୍ବରୁ ଗୁ‌ପ୍ତେଶ୍ବରକୁ ପଦଯାତ୍ରା କରି ବାଇକରେ ଫେରୁଥିଲେ ମୃତ ମୁନ୍ନା, ଓ ହରିଓମ। ଉଭୟ ବାଇକରେ  ଆସୁଥିବା ବେଳେ ଟ୍ରଲରର ପଛ ପଟେ ଅଚାନକ ଭାବେ ପିଟି ହୋଇଯାଇଥିଲେ। ଟ୍ରଲରର ପଛର ଲୁହା ଡାଲାରେ ପିଟି ହୋଇ ମୃତ ମୁନ୍ନାଙ୍କର ମୁଣ୍ଡ ପାଟିଯିବା ସହ ରକ୍ତ ସବୁ ବୋହିଯାଇଥିଲା। ଏବଂ ଘଟଣାସ୍ଥଳରେ ହିଁ ମୁନ୍ନାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ଅନ୍ୟ ଗୁରୁତର ହରିଓମକୁ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଆଣି ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ବି ଭଲ ନଥିବାରୁ କୋରାପୁଟ ଏସଏଲଏନ୍ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି ସଦରଥାନା ଆଇଆଇସି ଇଶ୍ବର ତାଣ୍ଡି। ପୁଲିସ ଦୁର୍ଘଟଣା ମାମଲା ରୁଜୁ କରିବା ସହ ଶବର ପଂଚନାମା କରିଛି। ଆସନ୍ତାକାଲି ସକାଳୁ ଶବବ୍ୟାବଛେଦ କରି ପରିବାରବର୍ଗକୁ ହସ୍ତାନ୍ତର କରାଯିବ‌ ବୋଲି ତଦନ୍ତକାରୀ ଅଧିକାରୀ ସବଇନିସପେକ୍ଟର ପ୍ରଶାନ୍ତ ମହାନ୍ତି କହିଛନ୍ତି।