ରାଇରଙ୍ଗପୁର: ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ସିଗଦୀ କାରଗିଲ ଛକଠାରେ ବାଇକ-କାର୍ ମଧ୍ୟରେ ଧକ୍କା ହେବାରୁ ବାଇକରେ ଥିବା ୩ ଆରୋହୀ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ସେମାନଙ୍କୁ ରାଇରଙ୍ଗପୁର ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଥି ମଧ୍ୟରୁ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଦୁଇ ଜଣ ଗୁରୁତରଙ୍କୁ ବାରିପଦାସ୍ଥ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ଗିତିଲତା ଗ୍ରାମର ରାମ ସୋରେନ ଓ ଗୁରୁତର ମାନେ ହେଲେ ଗୀତିଲତା ଗ୍ରାମର ଭୀମ ସୋରେନ ଏବଂ ଝାଡଖଣ୍ଡ ରାଜ୍ୟ ରାଜନଗର ଥାନା ଅନ୍ତର୍ଗତ ଚୋକେ ଗ୍ରାମର ଦାମୋଦର ହାଁସଦା ବୋଲି ସୂଚନା ମିଳିଛି।
ଦୁର୍ଘଟଣାଗସ୍ତ କାର (ଜେଏଚ-୦ ୫ସିଏଲ୍-୨୪୩୫) ଓ ବାଇକ୍କୁ ପୁଲିସ୍ ଜବତ କରିଛି। ଏନେଇ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ ଯେ ଉକ୍ତ ଜାତୀୟ ରାଜପଥରରେ ମାସକୁ ୧୦ରୁ ଅଧିକ ଦୁର୍ଘଟଣା ଘଟୁଥିବା ବେଳେ ୫ରୁ ଅଧିକ ଲୋକଙ୍କ ମୁତ୍ୟୁ ଘଟୁଛି।