ବୁଲେଟ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ୨ ଗୁରୁତର

ନବରଙ୍ଗପୁର: ନବରଙ୍ଗପୁର ସହର ଠାରୁ ମାତ୍ର ୨ କିମି ଦୂର ତାରାଗାଁ ନିକଟସ୍ଥ ଜାତୀୟ ରାଜପଥ ୨୬ରେ ବାଇକ ଓ ବୁଲେଟ ମୁହାଁମୁହିଁ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ସଂଧ୍ୟା ସମୟରେ ଶରଣପୁର ଗାଁର ଅଶୋକ ଭତ୍ରା(୨୧) ଏକ ସିଡି ଡିଲାକ୍ସ ବାଇକରେ ଶରଣପୁରରୁ ନବରଙ୍ଗପୁରକୁ ଆସୁଥିଲେ। ବିପରୀତ ଦିଗରୁ ନବରଙ୍ଗପୁର ଚିକିଲି ଅଭିମୁଖେ ଧରନାବେଡାର ମଦନ ଭକ୍ତ ଓ ସୁନଦା ଭତ୍ରା ଏକ ବୁଲେଟରେ ଯାଉଥିବା ବେଳେ ତାରାଗାଁ ଜଙ୍ଗଲ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ଉଭୟ ବାଇକ ରାସ୍ତାର ଉଭୟ ପାର୍ଶ୍ବରେ ଛିଟିକି ହୋଇ ପଡିଥିଲା। ରାସ୍ତାରେ ଯାଉଥିବା ଯାତ୍ରୀମାନେ ୧୦୮ ଆମ୍ବୁଲାନସକୁ ଖବର ଦେଇଥିଲେ। ୩ ଜଣ ଯୁବକ ଗୁରୁତର ଭାବେ ଆହତ ହୋଇ ରାସ୍ତାକଡ଼ରେ ପଡିରହିଥିବା ବେଳେ ପାପଡାହାଣ୍ଡିରୁ ନବରଙ୍ଗପୁର ଅଭିମୁଖେ ଆସୁଥିବା ଅତିରିକ୍ତ ଆରଟିଓ ବିଭୁରଂଜନ ନାୟକ, ଷ୍ଟାଫ ସୁର୍ଯ୍ୟ ନାରାୟଣ ବେହେରା ଓ ଷ୍ଟାଫ ଘଟଣାସ୍ଥଳରେ ପହଞ୍ଚି ଏକ ଅଟୋ ସାହାଯ୍ୟରେ ୨ ଆହତ ମଦନ ଭକ୍ତ ଓ ସୁରେନ୍ଦ୍ର ଭତ୍ରାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିଲେ।

ଅଶୋକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ୧୦୮ ଆମ୍ବୁଲାନସ ପହଞ୍ଚିବା ପରେ ଆରଟିଓ ଷ୍ଟାଫ ଓ ଆମ୍ବୁଲାନସ କର୍ମଚାରୀ ବାଇକ ଆରୋହୀ ଅଶୋକ ଭତ୍ରାଙ୍କ ରାସ୍ତାରୁ ଉଦ୍ଧାର କରି ଆମ୍ବୁଲାନସ ସାହାଯ୍ୟରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ମେଡିକାଲରେ ଡାକ୍ତର ଅଶୋକଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ନବରଙ୍ଗପୁର ପୁଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ। ଆହତ ମଦନ ଓ ସୁରେନ୍ଦ୍ରଙ୍କ ହାତ ଭାଙ୍ଗିଯାଇଥିବାରୁ ଉଭୟଙ୍କୁ ଅଧିକ ଚିକିତ୍ସା ପାଇଁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଆସନ୍ତାକାଲି ଅଶୋକଙ୍କର ଶବ ବ୍ୟବଛେଦ ହେବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର