ଟ୍ରକ ପଛକୁ ଧକ୍କା ଦେଲା ବସ, ଜଣେ ମୃତ, ୧୦ ଆହତ

ଖୋର୍ଦ୍ଧା: ଆଜି ସକାଳେ ଗଡ଼ଖୋର୍ଦ୍ଧା ଛକ ବରୁଣେଇ ଓଭରବ୍ରିଜ୍ ନିକଟରେ ଏକ ଚଳନ୍ତା ଟ୍ରକ୍ର ପଛପଟକୁ ଏକ ଯାତ୍ରିବାହୀ ବସ୍ ଧକ୍କା ଦେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି ।

ସୂଚନାନୁସାରେ, ଆଜି ସକାଳ ପ୍ରାୟ ୮ଟା ବେଳେ ଭୁବନେଶ୍ୱରରୁ ବୁଗୁଡ଼ା ଯାଉଥିବା ଓମ୍ ଶାନ୍ତି ନାମକ ଏକ ଯାତ୍ରିବାହୀ ବସ୍ (ଓଆର୍ ୦୨ବିକେ ୦୯୭୨)ବସ୍ଟି ବରୁଣେଇ ଓଭରବ୍ରିଜ୍ ନିକଟରେ ଏକ ଚଳନ୍ତା ଟ୍ରକକୁ ପଛପଟୁରୁ ଧକ୍କା ଦେଇଥିଲା । ଫଳରେ ବସଟିର ସମ୍ମୁଖ ଭାଗ ଚୂରମାର ହୋଇଯାଇଥିଲା । ସମ୍ମୁଖଭାଗରେ ବସିଥିବା ଜଣେ ବ୍ୟକ୍ତି ଆଗକୁ ଛିଟିକି ପଡ଼ିଥିଲେ, ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତବ୍ୟକ୍ତିଙ୍କ ନାମ ରଜନୀକାନ୍ତ ମାର୍ଥା ଓ ତାଙ୍କ ଘର ଜଙ୍କିଆ ରମ୍ଭାଭିଲି-ବାଲିଗାଡ଼ିଆ ବୋଲି ଜଣାଯାଇଛି । ସେ ଭୁବନେଶ୍ୱରରେ ସେକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି । ବସ୍‌ରେ ବସିଥିବା ପ୍ରାୟ ୪୨ଜଣ ଯାତ୍ରୀଙ୍କ ମଧ୍ୟରୁ ୧୧ଜଣ ଆହତ ହୋଇଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ । ଆହତମାନେ ହେଲେ, ନୟାଗଡ଼ ମର୍ଦ୍ଦକୋଟର ହୀନ ନାହାକ (୫୬) ଓ ସାହିବ ନାୟକ(୬୦) , ବୁଗୁଡ଼ା ବକ୍ସିପଲ୍ଲୀର ସୁନୀଲ ପ୍ରଧାନ (୧୧) ଓ ପ୍ରଭାସିନୀ ପ୍ରଧାନ, କଟକ କନ୍ଦରପୁରର ଶିବ ପ୍ରସାଦ ଦତ୍ତ(୫୮), ନୟାଗଡ଼ ଲୋଧାଚୂଆର ଝରଣା ମାଝି (୬୦), ଗଂଜାମ ବିରିପୁରର ଭାନୁମତି ପାଣିଗ୍ରାହୀ, ଭଗବାନ ନାୟକ ଓ କାହ୍ନୁ ବେହେରା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେତେକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ିଦିଆଯାଇଛି । ତେବେ ଯେଉଁମାନଙ୍କ ମୁଣ୍ଡରେ ଆଘାତ ଲାଗିଛି ସେମାନଙ୍କୁ ନିରୀକ୍ଷଣରେ ରଖାଯାଇଥିବା ଓ ଆବଶ୍ୟକ ପଡ଼ିଲେ ଭୁବନେଶ୍ୱର ପଠାଯିବ ବୋଲି ଚିକିତ୍ସାଳୟ କର୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଦୁର୍ଘଟଣା ନେଇ ଖୋର୍ଦ୍ଧା ଶିଳ୍ପାଂଚଳ ଫାଣ୍ଡିରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ।

ସମ୍ବନ୍ଧିତ ଖବର