ଟାଟା ଏସିକୁ ମୁହାଁମୁହିଁ ଧକ୍କା ଦେଲା ହାଇଓ୍ଵା, ଜଣେ ମୃତ ଓ ୩ ଗୁରୁତର

ରାଉରକେଲା: ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ରଘୁନାଥପାଲି ଥାନା ଅନ୍ତର୍ଗତ ବାଲୁଘାଟରେ ମୁହାଁମୁହିଁ ଧକ୍କା ଦେବାରୁ ଟାଟା ଏସିରେ ବସିଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହା ସହ ଗାଡ଼ି ଚାଳକ ଓ ଅନ୍ୟ ଦୁଇ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ତିନି ଜଣ ଗୁରୁତରଙ୍କୁ ଆରଜିଏଚ୍‌ରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ଫର୍ଟିଲାଇଜର କନଷ୍ଟ୍ରକ୍ସନ କଲୋନି ନିବାସୀ ଫତୁ ଓରାମ।

ସୂଚନା ଅନୁସାରେ ଫର୍ଟିଲାଇଜର କନଷ୍ଟ୍ରକ୍ସନ କଲୋନିର ୩ ଜଣ ଶ୍ରମିକ ଫତୁ ଓରାମ, ମୁରଲୀ ବଦ୍ରା (ଏ) ଓ ମୁରଲୀ ବଦ୍ରା (ବି) ପ୍ରତିଦିନ ଭଳି ଆଜି ମଧ୍ୟ କୁଆରମୁଣ୍ଡାକୁ କାମ କରିବାକୁ ଯାଇଥିଲେ। କାମ ସାରି ଏମାନେ ଏକ ଟାଟା ଏସି (ଓଆର୍‌-୧୪-ୟୁ-୧୫୫୯)ରେ ନିଜ ଘରକୁ ଫେରୁଥିଲେ। ଉକ୍ତ ଗାଡ଼ିର ଚାଳକ ଥିଲେ ସୁଶାନ୍ତ ବେହେରା। ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା। ଟାଟା ଏସିରେ ସମସ୍ତ ୩ ଜଣ ଶ୍ରମିକ ଘରକୁ ଫେରୁଥିବାବେଳେ ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ହାଇୱା (ଓଡି-୧୪-ଆର୍‌-୯୬୧୩) ବାଲୁଘାଟରେ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଫତୁଙ୍କ ମୃତ୍ୟୁ ହୋଇଥିଲା।

ଏହାସହ ଟାଟା ଏସି ଚାଳକଙ୍କ ସମେତ ଅନ୍ୟ ଦୁଇ ଶ୍ରମିକ ମଧ୍ୟ ଗୁରୁତର ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଉଦ୍ଧାର କରି ଆରଜିଏଚ୍‌ରେ ଭର୍ତ୍ତି କରାଯାଇଛି। ଅପରପକ୍ଷରେ ଦୁର୍ଘଟଣା ଘଟାଇ ହାଇୱା ଚାଳକ ଗାଡ଼ି ଛାଡ଼ି ସେଠାରୁ ଫେରାର ହୋଇଯାଇଛି। ରଘୁନାଥପଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଗାଡ଼ିକୁ ଜବତ କରିଛି।

ସମ୍ବନ୍ଧିତ ଖବର