ପୁଲିସ ଇନ୍‌ଫର୍ମର ସନ୍ଦେହରେ ଜଣକୁ ହତ୍ୟା କଲେ ନକ୍ସଲ, ଏନକାଉଣ୍ଟରରେ ୩ ନକ୍ସଲ ନିହତ

ମାଲକାନଗିରି: ପଡୋଶୀ ଛତିଶଗଡ଼ର ନକ୍ସଲ ପ୍ରଭାବିତ ଜିଲ୍ଲା- ଦନ୍ତେଓ୍ଵାଡା ଓ ବିଜାପୁରରେ ଶନିବାର ସକାଳୁ ଜିଲ୍ଲା ରିଜର୍ଭ ପୁଲିସ ଗ୍ରୁପ (ଡିଆରଜି) ତିନି ଜଣ ନକ୍ସଲଙ୍କୁ ନିହତ କରିଛି। ପୁଲିସ ଟିମ୍‌ ଦନ୍ତେଓ୍ଵାଡାରେ ୫-୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିବା ୨ ନକ୍ସଲଙ୍କୁ ନିହତ କରିଥିବା ବେଳେ ଘଟଣାସ୍ଥଳରୁ ରାଇଫଲ ଓ ପିସ୍ତଲ ଜବତ ହୋଇଛି। ସେହିପରି ପୁଲିସ ବିଜାପୁରରେ ଜଣେ ନକ୍ସଲକୁ ନିହତ କରିଛି। ଅନ୍ୟପକ୍ଷରେ ଦନ୍ତେଓ୍ଵାଡାରେ ସକାଳୁ ନକ୍ସଲମାନେ ପୁଲିସ ଇନ୍‌ଫରମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି।

ଦନ୍ତେଓ୍ଵାଡା ଏସ୍‌ପି ଅଭିଷେକ ପଲ୍ଲବ କହିଛନ୍ତି, କିରନ୍ଦୁଲ ଅଂଚଳରେ କୁଟେରମ ଜଙ୍ଗଲରେ ନକ୍ସଲ ଗତିବିଧି ନେଇ ସୂଚନା ମିଳିଥିଲା। ଏହା ପରେ ଥାନାରୁ ଡିଆରଜି ଗ୍ରୁପ ସର୍ଚ୍ଚ ଅପରେଶନରେ ବାହାରିଥିଲେ। ଜଙ୍ଗଲରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଏନ୍‌କାଉଣ୍ଟର ହୋଇଥିଲା। ଏଥିରେ ୨ ଜଣ ନକ୍ସଲ ଲଚ୍ଛୁ ମଣ୍ଡିବୀ ଓ ପୋଦିଆ ନିହତ ହୋଇଥିଲେ।

ବିଜାପୁର ଜିଲ୍ଲାର ପଓ୍ଵାପଲ୍ଲୀ ଥାନା ଅଞ୍ଚଳରେ ପୁନରସ୍ଥିତ ପହାଡରେ ଡିଆରଜି ଯବାନମାନେ ଜଣେ ନକ୍ସଲଙ୍କୁ ନିହତ କରିଥିବା ଏସ୍‌ପି ଦିବ୍ୟାଙ୍ଗ ପଟେଲ ସ୍ପଷ୍ଟ କରିଛନ୍ତି। ପୁଲିସ ଘଟଣାସ୍ଥଳରୁ ବନ୍ଧୁକ ଓ ଗୁଳି ଜବତ କରିଛି।

ଦନ୍ତେଓ୍ଵାଡାର କିରନ୍ଦୁଲ ଅଞ୍ଚଳରେ ଏସାର କଂପାନୀ ନିକଟସ୍ଥ ନକ୍ସଲମାନେ ଜନଅଦାଲତ ଆୟୋଜନ କରି ବ୍ୟକ୍ତିଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି। ପୁଲିସ ଇନ୍‌ଫର୍ମର ସନ୍ଦେହରେ ନକ୍ସଲମାନେ ପୁଲୁମ ପଂଚାୟତ ନିବାସୀ ମିଡିୟମ ମଞ୍ଜାଲଙ୍କୁ ହତ୍ୟା କରିଛନ୍ତି। କିରନ୍ଦୁଲ ଏସଡିପିଓ ଧିରେନ୍ଦ୍ର ପଟେଲ କହିଛନ୍ତି, ମୃତଦେହ ପାଖରୁ ଏକ ବ୍ୟାଗ ଓ ଚିଠି ଉଦ୍ଧାର ହୋଇଛି।

ସମ୍ବନ୍ଧିତ ଖବର