ଶୁଖୁଆ ଧରି ଘରକୁ ଫେରୁଥିଲେ ମୋପେଡ ଆରୋହୀ, ଟ୍ରକ୍‌ ଧକ୍କାରେ ଚାଲିଗଲା ଜୀବନ

ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ବେଲପାହାଡ଼ ଓଭର ବ୍ରିଜ ନିକଟରେ ଆଜି ପୂର୍ବାହ୍ନରେ ଦ୍ରୁତଗାମୀ ଟ୍ରକ (ଓଆର୍‌-୧୫ପି-୨୧୫୭) ଧକ୍କାରେ ଜଣେ ମୋପେଡ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଗିରିଧାରୀ ମେହେର (୫୫)। ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଅନ୍ତର୍ଗତ ରାଏବଗା ଗ୍ରାମରେ। ବେଲପାହାଡ଼ ପୁଲିସ ମୃତଦେହ ଜବତ କରି ବେବଛେଦ ପାଇଁ ପଠାଇ ଘଟଣାର ଅନୁସନ୍ଧାନ କରୁଛି। ଦୁର୍ଘଟଣା ଘଟାଇଥିବା ଟ୍ରକ ଟିକୁ ପୁଲିସ ଜବତ କରିଥିବା ବେଲପାହାଡ଼ ଆଇ.ଆଇ.ସି. ରଶ୍ମିତା ବେହେରା ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ମୃତ ଗିରିଧାରୀ ସୁଖା ମାଛ(ଶୁଖୁଆ) ବେପାର କରୁଥିଲେ। ସେ ଲଖନପୁର ବ୍ଲକ ବାଘମୁଣ୍ଡାରୁ ସୁଖା ମାଛ ନିଜ ମୋପେଡରେ ଧରି ସୁନ୍ଦରଗଡ଼ ଅଞ୍ଚଳରେ ବିକ୍ରି କରିବାକୁ ଯାଇଥାନ୍ତି। ଅନ୍ୟ ଦିନ ଭଳି ଆଜି ସକାଳୁ ମଧ୍ୟ ଗିରିଧାରୀ ନିଜ ମୋପେଡ(ଓଡି୨୩ଏଫ୍‌-୬୬୭୮ରେ ସୁଖା ମାଛ ଧରି ବାଘ ମୁଣ୍ଡରୁ ଫେରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକଟି ହଠାତ ବେଲପାହାଡ଼ ଓଭର ବ୍ରିଜ ନିକରେ ଧକ୍କା ଦେଇଥିଲା। ଗିରିଧାରୀଙ୍କୁ ପ୍ରାୟ ୧୦୦ମିଟର ଘୋଷାରି ନେଇଥିଲା। ଘଟଣାସ୍ଥଳରୁ ଗିରିଧାରୀଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଟି.ଆର.ଏଲ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର