କ୍ରିକେଟ୍ ମ୍ୟାଚରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

ରାୟଗଡ଼ା: କାଶୀପୁର ବ୍ଲକ୍ ଗୁଞ୍ଜିଗୁଡାରେ ଚାଲିଥିବା କ୍ରିକେଟ୍ ମ୍ୟାଚରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଦୁଇ ଗୋଷ୍ଠୀ ଭିତରେ ହୋଇଥିବା ମାରପିଟରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ବେଦବ୍ୟାସ ନାୟକ। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। କାଶୀପୁର ପୁଲିସର ମାମଲାର ତଦନ୍ତ ଆରମ୍ଭ କରି କିଛି ଯୁବକଙ୍କ ଅଟକ ରଖିଥିବା ସୂଚନା ମିଳିଛି। ଗତକାଲି ଗୁଞ୍ଜିଗୁଡାରେ ଡୁମେରପଦର ଓ ବେନ୍ଦାଲପାସ୍ ଦଳ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ଚାଲିଥିଲା। ‌ଜଣେ କ୍ରୀଡାବିତଙ୍କ ଆଉଟକୁ କେନ୍ଦ୍ର କରି ଉଭୟ ଟିମର ଖେଳାଳି ମୁହାଁମୁହିଁ ହୋଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଉଭୟ ଟିମର ଖେଳାଳି ପରସ୍ପରକୁ କ୍ରିକେଟ୍ ବ୍ୟାଟ୍ ଓ ୱିକେଟରେ ଆକ୍ରମଣ କରିଥିଲେ।

ମାଡ଼ରେ ବେଦବ୍ୟାସ ଗୁରୁତର ହୋଇ ପଡିବା ପରେ ଚିକିତ୍ସା ପାଇଁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ବେଦବ୍ୟାସକୁ ଚିକିତ୍ସା ଲାଗି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଥିଲା। ଆଜି ସକାଳେ ଅବସ୍ଥା ସଙ୍କଟାପନ୍ନ ହେବାକୁ ବେଦବ୍ୟାସକୁ ରାୟଗଡ଼ାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ରାମନାଗୁଡା ନିକଟରେ ମୃତ୍ୟୁ ହୋଇଥିଲା। ଖବର ପାଇ କାଶୀପୁର ପୁଲିସ୍ ରାୟଗଡ଼ାରେ ପହଞ୍ଚି ବେଦବ୍ୟାସଙ୍କ ଶବ ବ୍ୟବଚ୍ଛେଦ କରିଥିଲା। ପୁଲିସ୍ ମାମଲାର ତଦନ୍ତ ଆରମ୍ଭ କରିବା ସହ ଉଭୟ ଟିମର ଖେଳାଳିଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ସମ୍ବନ୍ଧିତ ଖବର