ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଚେରଚେଟିଆଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା କ୍ରମରେ ଜଣେ କିଶୋର ମୋବାଇଲ ଚାର୍ଜ କରୁଥିବା ସମୟରେ ବିଦ୍ୟୁତ୍ ତାର ଲାଗି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପୂଜାରିଗୁଡ଼ାର ସନାଧର ଭତରା (୧୭)। ଖବର ପାଇ ଡାବୁଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ପୂଜାରୀଗୁଡ଼ା ଗ୍ରାମର ଜୟରାମ ଭତରାଙ୍କ ପୁଅ ସନାଧର ଭତରା ନିକଟ ଚେରଚେଟିଆଗୁଡ଼ା ଗ୍ରାମରେ ନିଜ ଭଉଣୀ ବଗ ଭତରାଙ୍କ ଘରେ ଗତ ୩ ବର୍ଷ ହେଲା ରହି ଆସୁଥିଲେ। ସନାଧର ଭତରା ସୋମବାର ନିଜ ସାଙ୍ଗସାଥୀମାନଙ୍କ ସହ ଡାବୁଗାଁ ଥାନା ମେଦନା ଗ୍ରାମକୁ ଦଶହରା ହାଟ ବୁଲିବାକୁ ଯାଇଥିଲେ। ଆଜି ସକାଳ ପ୍ରାୟ ସାଢ଼େ ୭ଟାରେ ସନାଧର ନିଜ ମୋବାଇଲ ବ୍ୟାଟେରି କାଢ଼ି ବିଦ୍ୟୁତ ତାରରେ ଚାର୍ଜ କରୁଥିବା ସମୟରେ ଏହା ଫାଟି ଯାଇଥିଲା। ଏଥିରେ ସନାଧରଙ୍କ ଡାହାଣ ହାତ ପାପୁଲି ଫାଟି ଯାଇଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ସକାଳ ୮ଟାରେ ଦେଖିବା ବେଳକୁ ସନାଧର ବିଦ୍ୟୁତ ଆଘାତରେ ଜୀବନ ହରାଇ ସାରିଥିଲେ।
ଦୁର୍ଘଟଣା ପରେ ସନାଧରର ପରିବାର ଲୋକେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ।। ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।