ଦୁଇ ବାଇକ୍ ମୁହାଁମୁହିଁ, ଜଣେ ମୃତ

ଚମ୍ପୁଆ: କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ଚମ୍ପୁଆ-ତୁରୁମୁଙ୍ଗା ରାସ୍ତାର ନନ୍ଦପୁର ହାଇସ୍କୁଲ୍ ଛକ‌ ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଜାଲି ଗ୍ରାମର ହେମନ୍ତ ହେମ୍ବ୍ରମ (୩୦)। ଗୁରୁତରମାନେ ହେଲେ ସେହି ଗ୍ରାମର ସୁବାସ ସିଙ୍କୁ (୧୪), ଝାଡ଼ଖଣ୍ଡ ବଡ଼ଜାମଦାର ଧରମବୀର ସିଂହ ଓ ମୁରଲୀ ସିଂହ।

ପ୍ରାପ୍ତ ସୂୂଚନା ଅନୁସାରେ, ଚମ୍ପୁଆ-ତୁରୁମୁଙ୍ଗା ରାସ୍ତାର ଉଚ୍ଚବାଲି ପଟୁ ଝାଡ଼ଖଣ୍ଡର ଧରମବୀର ଓ ମୁରଲୀ ଏକ ବାଇକ୍‌ (ଜେଏଚ୍‌-୦୫-ଏଏ-୫୦୬୦)ରେ ଯାଉଥିବା ବେଳେ ବର୍ଦ୍ଧନା ପଟୁ ଅନ୍ୟ ଏକ ବାଇକ୍‌ (ଓଡି-୦୯-୨୪୯୦)ରେ ଜାଲି ଗ୍ରାମର ହେମନ୍ତ ଓ ସୁବାସ ଆସୁଥିଲେ। ନନ୍ଦପୁର ହାଇସ୍କୁଲ୍‌ ଛକ ନିକଟ‌ରେ ଦୁଇ ବାଇକ୍‌ ମଧ୍ୟରେ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହେମନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋ‌କେ ମୃତାହତଙ୍କୁ ଉଦ୍ଧାର କରି ପ୍ରଥମେ ଭଣ୍ଡା ଡାକ୍ତରଖାନା ପଠାଇଥିଲେ। ଗୁରୁତର ଧରମବୀର, ମୁରଲୀ ଓ ସୁବାସଙ୍କୁ ସେଠାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବାରିଆ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ହମ୍ପସ୍‌ ନିର୍ମାଣ ଦାବିରେ ଲୋକେ ରାସ୍ତାରୋକ କରିଥିଲେ।

ସମ୍ବନ୍ଧିତ ଖବର