ଅଜଣା ଗାଡି ଧକ୍କାରେ ଜଣେ ମୃତ

ଜୟପୁର: ଅଜଣା ଗାଡ଼ି ଧକ୍କାରେ ଗତକାଲି ରାତି ୯ଟା ବେଳେ କୋଟପାଡ଼ ଥାନା ଅର୍ନ୍ତଗତ କୁସୁମି ଗାଁର ପ୍ରଭୁଦାନ ନୀଲକମଲ(୫୯) ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ସେ କୋରାପୁଟ ଏସଏଲଏନ୍ ମେଡିକାଲ କଲେଜରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ତାଙ୍କ ପୁତୁରା ସୁଶାନ୍ତ ନୀଲକମଲ କୋଟପାଡ଼ ଥାନାରେ ଏତଲା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ୯ଟା ବେଳେ ମୃତ ପ୍ରଭୁଦାନ ଶୌଚ କରି ଘରକୁ ଫେରୁଥିଲେ। ଖ୍ରୀଷ୍ଠୀୟାନ ସାହିର କୁନ୍ଦ୍ରା ରୋଡ଼ରେ ସେ ଆସୁଥିବା ବେଳେ ତାଙ୍କୁ ଆଗ ପଟରୁ ଅଜଣା ଗାଡ଼ି ଧକ୍କା ଦେଇଥିଲା। ପ୍ରଭୁଦାନ ଦୁରକୁ ଛିଟକି ରାସ୍ତା ଉପରେ ପଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ମାଡ଼ ହୋଇଥିଲା।

ଗତକାଲି ରାତିରେ ୧୦୮ଆମ୍ବୁଲାନସରେ ତାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କୋରାପୁଟ ଏସଏଲନ୍ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ୫ଟା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସ ଏ ନେଇ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର