ଟ୍ରକ-ବାଇକ ମୁହାଁମୁହିଁ: ଯୁବକ ମୃତ, ଅନ୍ୟ ଜଣେ ଗୁରୁତର

ଅନୁଗୁଳ/କଣିହାଁ: ଅନୁଗୁଳ ଜିଲ୍ଲା ଏନଟିପିସି ଥାନା ୧୫୩ନମ୍ବର ଜାତୀୟ ରାଜପଥ ନକନକା ଗାଁ ପାଖ ଓମ ଢାବା ନିକଟରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ଟ୍ରକ-ବାଇକ ମୁହାଁ ମୁହିଁ ଧକା ହୋଇଛି। ଦୁର୍ଘଟଣାରେ କଣିହାଁ ଥାନା କମରେଇ ଗାଁର ଯୁବକ ଲଳିତ କୁମାର ସାହୁଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ବାଇକ ଆରୋହୀ ଜ୍ୟୋତି ରଞ୍ଜନ ସାହୁ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ଜ୍ୟୋତିଙ୍କୁ ତାଳଚେର ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, କମରେଇ ଗାଁର ଏହି ଦୁଇ ଯୁବକ ବାଇକ (ଓଡ଼ି ୧୯ଏଚ-୯୬୭୫)ରେ ତାଳଚେର ଆଡକୁ ଯାଉଥିବା ବେଳେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଟ୍ରକ (ଓଡ଼ି ୩୫ଡି-୦୪୩୪) ସହ ଧକା ହୋଇଥିଲା। ଘଟଣାସ୍ଥଳରେ ଲଳିତଙ୍କର ମୃତ୍ୟୁ ହୋଇଛି। ସୂଚନା ପାଇ ଏନଟିପିସି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।

ସୂଚନାଯୋଗ୍ୟ ଆଜି ସକାଳ ପ୍ରାୟ ୭ଟା ବେଳେ ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଜରପଡ଼ା ବସ୍‌ଷ୍ଟାଣ୍ଡ୍‌ ନିକଟରେ ଏକ ଆମ୍ବୁଲାନ୍‌ସ୍‌ ଏବଂ ଗୋଟାଏ ଗ୍ୟାସ୍‌ ଟ୍ୟାଙ୍କର୍‌-ଟ୍ରକ୍‌ ସାମ୍ନାସାମ୍ନି ଧକ୍କା ଖାଇବାରୁ ୪ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ଓ ଅନ୍ୟ ୨ଜଣ ବ୍ୟକ୍ତି ଗୁରୁତର ହୋଇଥିଲେ। ଆମ୍ବୁଲାନ୍‌ସ୍‌ଟି ସମ୍ବଲପୁରରୁ ରୋଗୀ ନେଇ ୫୫ ନମ୍ବର ଜାତୀୟ ରାଜପଥରେ କଟକ ଅଭିମୁଖେ ଯାଉଥିଲା। ଜରପଡ଼ା ବସ୍‌ଷ୍ଟାଣ୍ଡ୍‌ ପାଖାପାଖି ହୋଇଥିବା ବେଳେ ରାସ୍ତାର ବିପରୀତ ଦିଗରୁ ଆସୁଥିବା ଗ୍ୟାସ୍‌ ଟ୍ୟାଙ୍କର୍‌-ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଯୋଗୁଁ ଆମ୍ବୁଲାନ୍‌ସ୍‌ର ଚାଳକଙ୍କ ସମେତ ଭିତରେ ଥିବା ୪ଜଣ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଥିଲେ।

ସମ୍ବନ୍ଧିତ ଖବର