ବାଇକ୍‌କୁ ମୁହାଁମୁହିଁ ଧକ୍କା ଦେଲା ଟାଟା ଏସିଇ: ଭୋଜିରେ ଯୋଗଦେବାକୁ ଯାଉଥିବା ବ୍ୟକ୍ତିଙ୍କ ମୃତ୍ୟୁ

ଫେରାର ଗାଡିକୁ ଧରିବା ପାଇଁ ପୁଲିସର ତଲାସୀ ଜୋରଦାର

ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଚାରିଛକ-ପୁରୁଣାକଟକ ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଦିଗଶିରା ଠାରେ ଏକ ବାଇକ ଓ ଟାଟା ଏସିଇ ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ବାଇକ ଚାଳକଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ହେଲେ ରତ୍ନାକର ବିଶ୍ୱାଳ (୪୫)।

ପ୍ରାପ୍ତ ସୂଚନା ମତେ ହରଭଙ୍ଗା ବ୍ଲକ କରଞ୍ଜକଟା ପଞ୍ଚାୟତ ଅନ୍ତର୍ଗତ ଟିଲେଇ ମୁଣ୍ଡା ଗ୍ରାମର ରତ୍ନାକର ବିଶ୍ୱାଳ ବୀରନରସିଂହପୁର ପଞ୍ଚାୟତର ନୂଆପଡା ଗ୍ରାମକୁ ଏକ ବାହାଘର ଭୋଜିରେ ଯୋଗ ଦେବାକୁ ଯାଉଥିଲେ। ଚାରିଛକ ପଟୁ ବାଇକ ଯୋଗେ ଯାଉଥିବା ବେଳେ ଦିନ ୧୧ଟା ସମୟରେ ପୁରୁଣାକଟକ ପଟୁ ଦ୍ରୁତଗତିରେ ଆସୁଥିବା ଏକ ଅଜଣା ଟାଟା ଏସିଇ ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା। ସେ ପ୍ରାୟ ୧୫ଫୁଟ ଦୂରକୁ ଫିଙ୍ଗି ହୋଇପଡିଥିଲେ। ଦୁର୍ଘଟଣାରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରୁ ଟଟା ଏସିଇ ଫେରାର ହୋଇଥିଲା।

ଖବର ପାଇ ପୁରୁଣା କଟକ ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇଛି। ଅପରପକ୍ଷରେ ଫେରାର ମାରିଥିବା ଟାଟା ଏସିଇକୁ ଧରିବା ପାଇଁ ପୁଲିସ କନ୍ଧମାଳ ଏବଂ ନୟାଗଡ ଜିଲ୍ଲାର ସୀମାନ୍ତ ଯାତାୟାତ ପଥରେ ତଲାସୀ ଅଭିଯାନକୁ ଜୋରଦାର କରିଛି। ମୃତ ରତ୍ନାକର ବିଶ୍ବାଳଙ୍କର ଘରେ ପତ୍ନୀ ଏବଂ ୩ ଝିଅ ଥିବା ଜଣାପଡିଛି।

ସମ୍ବନ୍ଧିତ ଖବର