ପିକଅପ୍ ଧକ୍କାରେ ଦହିବରା ବିକାଳିଙ୍କ ମୃତ୍ୟୁ, ଉତ୍ତେଜିତ ଲୋକଙ୍କ ରାସ୍ତାରୋକ

ପାଣିକୋଇଲି : ମୃତ୍ୟୁ ଏମିତି ବି ଆସେ। ଦହିବରା ଖାଉଥିବା ଗ୍ରାହକମାନେ ବଞ୍ଚିଗଲେ ହେଲେ ପିକଅପ୍‌ ଧକ୍କାରେ ମୁହୂର୍ତ୍ତକ ମଧ୍ୟରେ ଦହିବରା ବିକାଳିଙ୍କର ମୃତ୍ୟୁ ହୋଇଗଲା। ଏପରି ଏକ ମର୍ମନ୍ତୁଦ ଘଟଣା ପାଣିକୋଇଲି ଥାନା ଅନ୍ତର୍ଗତ ଷଠିପୁର ନିକଟରେ ଦେଖିବାକୁ ମିଳଛି। ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବର ଷଠିପୁର ବଜାରରେ ଆଜି ଏକ ପିକଅପ୍‌ ଧକ୍କାରେ ଜଣେ ଦହିବରା ବିକାଳିଙ୍କର ମୃତ୍ୟୁ ହୋଇଯାଇଛି। ମୃତ ଦହିବରା ବିକାଳି ଏହି ଥାନା ଅନ୍ତର୍ଗତ କରଦା ଗ୍ରାମର ବାବାଜି ସାହୁଙ୍କ ପୁଅ ପ୍ରମୋଦ(୩୫)।

ପୂର୍ବାହ୍ଣ ପ୍ରାୟ ସାଢ଼େ ଏଗାରଟା ବେଳେ ଷଠିପୁର-ଯାଜପୁର ଟାଉନ ରାସ୍ତାକଡ଼ରେ ପ୍ରମୋଦ ଦହିବରା ବିକ୍ରି କରୁଥିବା ବେଳେ ଏକ ପିକଅପ୍‌ ଭ୍ୟାନ୍‌ ନମ୍ବର ଓଡି-୩୪ଜି-୩୩୧୪ ଦ୍ରୁତଗତିରେ ଆସି ତାଙ୍କ ଲୁନା ଓଡି-୩୪ସି-୦୩୧୪କୁ ଧକ୍କା ଦେଇଥିଲା। ପିକଅପ୍‌ ଭ୍ୟାନ୍‌ଟି ଲୁନା ଓ ପ୍ରମୋଦଙ୍କୁ ଧକ୍କା ଦେଇ ଆଗକୁ ଘୋଷାରି ନେବା ସହ ପାଖରେ ଥିବା ବରଗଛରେ ଚାପି ଦେଇଥିଲା। ଦହିବରା ଖାଉଥିବା ଲୋକମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ଘଟଣାସ୍ଥଳରେ ପ୍ରମୋଦଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଷଠିପୁର ଛକ ଲୋକାରଣ୍ୟ ହୋଇପଡ଼ିଥିଲା। ଶହଶହ ମହିଳା ଓ ପୁରୁଷ ପହଞ୍ଚି ୧୬ ନମ୍ବର ଜାତୀୟ ରାଜପଥ ଏବଂ ଯାଜପୁର ଟାଉନ ରାସ୍ତାକୁ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଅଚଳ କରିଦେଇଥିଲେ। ଦୁର୍ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପାଣିକୋଇଲି ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଲୋକମାନେ ଶୁଣି ନଥିଲେ। ପିକଅପ୍ ଚାଳକକୁ ବସାଇ ନେଉଥିବା ପୁଲିସ ଗାଡ଼ିକୁ ଅଟକ ରଖିଥିଲେ। ଥାନାଧିକାରୀ ଚକ୍ରପତି କହଁର ମଧ୍ୟ ଉତ୍ତେଜିତ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଯାଜପୁରରୋଡ ଏଡିପିଓ ଚିନ୍ମୟ କୁମାର ନାୟକ, କୋରେଇ ଥାନା ଆଇଆଇସି ରଂଜିତ ମହାନ୍ତି ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ। ହେଲେ ଜିଲ୍ଲାପାଳ ଘଟଣାସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିବାକୁ ଦାବିକରି ଲୋକମାନେ ଅଡ଼ି ବସିଥିଲେ। ମୃତଦେହ ରାସ୍ତାରେ ରଖି ନାରାବାଜି କରିଥିଲେ। ଶେଷରେ ଜିଲ୍ଲାପାଳଙ୍କ ପ୍ରତିନିଧି ଭାବେ ଯାଜପୁର ତହସିଲଦାର ସୁଶାନ୍ତ କୁମାର ପତି ପହଞ୍ଚି ଆଲୋଚନା କରିଥିଲେ। ଡିବିଏଲ କମ୍ପାନି ଦ୍ବାରା ନିର୍ମାଣାଧୀନ ରାସ୍ତା କାର୍ଯ୍ୟ ଯୋଗୁଁ ଦୁର୍ଘଟଣା ଘଟିଥିବା ଲୋକମାନେ ଅଭିଯୋଗ କରିଥିଲେ। ରେଡକ୍ରସରୁ ୨୦ ହଜାର ଟଙ୍କା ସହାୟତା ଦିଆଯିବା ସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା, ଆବାସ ଗୃହ, ଡିବିଏଲ କମ୍ପାନି ପକ୍ଷରୁ ଆର୍ଥିକ ସହାୟତା, ଦୁର୍ଘଟଣା ଘଟାଇଥିବା ଗାଡ଼ିର ବୀମା କ୍ଷତିପୂରଣ ଅର୍ଥ ମିଳିବା ସମ୍ପର୍କରେ ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା। ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ପିକଅପ୍‌ ଚାଳକକୁ ଥାନାରେ ଅଟକ ରଖି ଦୁର୍ଘଟଣାଗ୍ରସ୍ତ ଲୁନା ଓ ପିକଅପ୍ ଭ୍ୟାନ୍‌କୁ ପୁଲିସ ଜବତ କରିଛି।

ସମ୍ବନ୍ଧିତ ଖବର