ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମରେ ଶନିବାର ଗଣେଶ ପୂଜା ଭସାଣି ଉତ୍ସବ ବେଳେ ଟ୍ରାକ୍ଟରଟି ମାଡ଼ିଯାଇ ଜନୈକ ଯୁବକ ସଞ୍ଜୁ ବାଗ (୨୭)ଙ୍କ ମୃତ୍ୟୁ ହୋଇଛି। ବୁଦେଲଗୁମାରେ ଶନିବାର ପୂର୍ବତନ ସମିତି ସଭ୍ୟ ତହସିଲ ସାହୁଙ୍କ ଟ୍ରାକ୍ଟରରେ ଗଣେଶ ପ୍ରତିମା ବିସର୍ଜନ ପାଇଁ ନିଆଯାଉଥିଲା। ଶୋଭାଯାତ୍ରା ଚାଲିଥିବା ସମୟରେ ସଞ୍ଜୁ ଟ୍ରାକ୍ଟର ଚକତଳେ ପଡ଼ି ଯାଇଥିଲେ। ତାଙ୍କ ଉପରେ ଟ୍ରାକ୍ଟର ଚକ ମାଡ଼ି ଯାଇଥିଲା। ସ୍ଥାନୀୟ ଲୋକେ ସଞ୍ଜୁଙ୍କୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ମଧ୍ୟ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ରାଜା ଜୈନ ସୂଚନା ଦେଇଛନ୍ତି। ମୃତକ ସଞ୍ଜୁଙ୍କ ପରିବାର ଲୋକେ ଟ୍ରାକ୍ଟର ମାଲିକଙ୍କୁ ଘେରାଉ କରିଥିଲେ।
ଡ୍ରାଇଭିଂ ଲାଇସେନ୍ସ ନ ଥିବା ଅନଭିଜ୍ଞ ଡ୍ରାଇଭର ଓ ବିନା ଡକ୍ୟୁମେଣ୍ଟରେ ଟ୍ରାକ୍ଟରଟି ଦୀର୍ଘଦିନ ଧରି ଚାଲିଆସୁଥିବାରୁ ଏଭଳି ଅଘଟଣ ଘଟି ଜଣକର ପ୍ରାଣହାନୀ ଘଟିଥିବା ସାଧାରଣରେ ଆଲୋଚନା ହେଉଛି। ଏ ସମ୍ପର୍କରେ ନର୍ଲା ପୁଲିସ କେସ ନଂ. ୨୦୧ରେ ଏକ ମାମଲା ରୁଜୁକରି ମୃତ ଯୁବକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଥିବା ଜଣାପଡ଼ିଛି। ଘଟଣା ଘଟିବାର ଦୁଇଦିନ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରଟିକୁ ପୁଲିସ ଜବତ କରି ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ଏ ବିଷୟରେ ନର୍ଲା ଆଇଆଇସି ଗଙ୍ଗାଧର ମେହେରଙ୍କ ମତାମତ ନେବାରୁ ସେ କହିଛନ୍ତି, ‘ତଦନ୍ତ ଚାଲିଛି, ଶବ ବ୍ୟବଚ୍ଛେଦ ପାଇଁ ମ. ରାମପୁର ପଠାଯାଇଛି। ଘଟଣାସ୍ଥଳରେ ଟ୍ରାକ୍ଟରକୁ ରଖାଯାଇଛି। ତଦନ୍ତ ସରିଲେ ପଦକ୍ଷେପ ନିଆଯିବ।’