ସୁନ୍ଦରଗଡ଼: ବିଜୁ ଏକ୍ସପ୍ରେସ ୱେ ପଣ୍ଡ୍ରିଢିପା ଛକରେ ଏକ ଅଜଣା ଗାଡ଼ି ଧକ୍କାରେ ଗୁରୁତର ଅଶୋକ ତନ୍ତୀ (୪୭)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବା ପରେ ଶନିବାର ସନ୍ଧ୍ୟାରେ ଉତ୍ତ୍ୟକ୍ତ ଲୋକେ ଶବ ରଖି ରାସ୍ତାରୋକ କରିଛନ୍ତି।

Advertisment

ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ, ଅନ୍ୟ ଜଣେ ଆହତକୁ ୫୦ ହଜାର ଚିକିତ୍ସା ଖର୍ଚ୍ଚ ପ୍ରଦାନ ଓ ବାଇପାସ ରାସ୍ତାରେ କଡ଼ା ସୁରକ୍ଷା ବ୍ୟବସ୍ଥା, ପଣ୍ଡ୍ରିଢିପା ଛକରୁ ପତ୍ରାପାଲି ଛକ ଯାଏ ରାସ୍ତାର ଉଭୟ ପାର୍ଶ୍ବରେ ବେଆଇନ ଟ୍ରକ ପାର୍କିଂ ହଟାଇବା, ପଣ୍ଡ୍ରିଢିପା ଛକରେ ଓଭରବ୍ରିଜ୍, ଷ୍ଟ୍ରିଟ୍ ଲାଇଟ ସହ ସିସିଟିଭି କ୍ୟାମେରା ବ୍ୟବସ୍ଥା ଦାବି କରିଛନ୍ତି ଲୋକେ। ଟାୟାର ଜାଳି ରାସ୍ତା ଅବରୋଧ ଯୋଗୁଁ ରାଉରକେଲା-ସମ୍ବଲପୁରକୁ ଭାରୀଯାନ ଚଳାଚଳ ବନ୍ଦ ରହିଛି।

ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟାରେ ପଣ୍ଡ୍ରିଢିପାର ଅଶୋକ ତନ୍ତୀ ଓ ବିଜୟ ସିଂ ପତ୍ରାପାଲି ଛକ ଆଡ଼କୁ ଚାଲି ଚାଲି ଯାଉଥିଲେ। ଏହି ସମୟରେ ନିର୍ମାଣାଧୀନ ଜିଲ୍ଲା କୋର୍ଟ ସମ୍ମୁଖରେ ଏକ ଅଜଣା ଗାଡ଼ି ସେମାନଙ୍କୁ ପଛରୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଦୁହେଁ ଛିଟିକି ପଡ଼ିଥିଲେ। ଗୁରୁତର ଆହତ ଅଶୋକଙ୍କୁ ରାଉରକେଲା ଜେପି ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଆହତ ବିଜୟ ସୁନ୍ଦରଗଡ଼ ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଶନିବାର ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ପଡ଼ାରେ ଶବ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ପଣ୍ଡ୍ରିଢିପା ଛକରୁ ପତ୍ରାପାଲି ଛକ ଯାଏ ଭାରୀଯାନ ପାର୍କିଂ ଜନଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ସ୍କୁଲ, କଲେଜ ଯାଉଥିବା ପିଲା ପ୍ରମାଦ ଗଣୁଥିବାବେଳେ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଆଗକୁ ଜିଲ୍ଲା କୋର୍ଟ କାର୍ଯ୍ୟକ୍ଷମ ହେଲେ ରାସ୍ତାଟି ବ୍ୟସ୍ତବହୁଳ ହୋଇପଡ଼ିବ। ଏସ୍ଥିତିରେ ଦୁର୍ଘଟଣା ବଢ଼ିବାର ଆଶଙ୍କା ରହିଛି। ତେଣୁ ପତ୍ରାପାଲି ଓ ପଣ୍ଡ୍ରିଢିପା ଛକରେ ଓଭରବ୍ରିଜ ନିର୍ମାଣ ସହ ଅନ୍ୟ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଲୋକେ ଦାବି କରିଛନ୍ତି। ପୁଲିସ ଓ ଅଧିକାରୀ ଆସି ବୁଝାସୁଝା କରୁଛନ୍ତି।