ବାଇକ ଦୁର୍ଘଟଣାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର
ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଶାଳୁଆପଲ୍ଲୀ ଗ୍ରାମ ନିକଟରେ ବୁଧବାର ବାଇକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ହେଲେ ଶାଳୁଆପଲ୍ଲୀ ଗ୍ରାମର ବିଜୟ କୁମାର ସାହୁ। ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ପାଇଲପଡା ଗ୍ରାମର ଅନନ୍ତ ସ୍ୱାଇଁ ଗୁରୁତର ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ କହିବାନୁଯାୟୀ, ବିଜୟ କୁମାର ସାହୁ ଧାନ ବିଲରୁ ଧାନ ନେଇ ଶାଳୁଆପଲ୍ଲୀକୁ ଯାଉଥିଲେ। ସେହି ସମୟରେ ଅନନ୍ତ ସ୍ୱାଇଁ ବାଇକରେ ପାଇଲପଡାକୁ ଫେରୁଥିବା ବେଳେ ବିଜୟକୁ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ଦୁହେଁ ଗୁରୁତର ଅବସ୍ଥାରେ ପଡିଥିବାର ଦେଖି ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇ ଭଞ୍ଜନଗର ଅଗ୍ନିଶମ ବାହନୀ ଘଟଣାସ୍ଥଳରେ ପହଞ୍ଚି ବିଜୟ ଓ ଅନନ୍ତକୁ ଆଣି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲା। ମେଡିକାଲରେ ଡାକ୍ତର ବିଜୟକୁ ମୃତ ଘୋଷଣା କରିଥିଲେ। ଅନନ୍ତର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭଞ୍ଜନଗରରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।