କୋମନା: ନୂଆପଡ଼ା ଜିଲ୍ଲା କୋମନା ଥାନା ତରବୋଡ଼ ଫାଣ୍ଡି ଅଧୀନ ଜାତୀୟ ରାଜପଥ ନଂ ୩୫୩ର ବାଞ୍ଜିବାହାଲ ଛକରେ ଏକ ଟ୍ରକ୍ ଓ ବାଇକ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଥିଲା। ଏଥିରେ ଖରିଆର୍ ଥାନା ଖଇରପଦର ଗାଁର ମୋତିଲାଲ ଦୁରିଆ (୧୯) ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତେବେ ସେହି ଗାଁର ଜଗଦୀଶ ବାଗ (୧୯) ଗୁରୁତର ଆହତ ହୋଇଥିବା ଜଣାଯାଇଛି।
ସୂଚନା ଅନୁସାରେ, ମୋତିଲାଲ ଓ ଜଗଦୀଶ ଏକ ବାଇକ (ଓଡି ୧୫ ଏଲ୍ ୬୮୭୪)ରେ ନୂଆପଡ଼ା ଆଡ଼କୁ ଯାଉଥିଲେ। ବିପରୀତ ଦିଗରୁ ଆସୁଥିବା ଟ୍ରକ୍ (ସିଜି ୦୬ ଜିଡି ୭୭୩୭) ସହ ବାଞ୍ଜିବାହଲ ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ତରବୋଡ଼ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଛି। ସେହିପରି ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣା ଘଟାଇଥିବା ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ କରୁଛି।