ଖାଦାନରେ ବ୍ଲାଷ୍ଟିଂ ବେଳେ ପଥରଖଣ୍ଡ ପଡ଼ି ଯୁବକଙ୍କ ମୃତ୍ୟୁ

ଇବ୍‌ଥର୍ମାଲ: ବନହରପାଲି ଥାନା କୁମ୍ଭାରବନ୍ଧ ଫାଣ୍ଡି ଦଳଗାଁ ପଞ୍ଚାୟତ ସେନାମାଲ ଗ୍ରାମରେ ଥିବା ପଥର ଖାଦାନ(ଖଣି)ରେ ରବିବାର ଅପରାହ୍‌ଣରେ ବ୍ଲାଷ୍ଟିଂ ବେଳେ ପଥରଖଣ୍ଡ ମାଡ଼ ହେବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ଆହ୍ଲାଦ ଭୋଇଙ୍କ ପୁଅ ହରେକୃଷ୍ଣ ଭୋଇ ଓରଫ ଅମିତ(୩୬)। ଘର ଦଳଗାଁ ପଞ୍ଚାୟତ ବାଦିମାଲରେ।

ପ୍ରାପ୍ତ ସୂଚନା ଅନୁଯାୟ ଅପରାହ୍‌ଣ ୧ଟା ୩୦ରୁ ୨ଟା ମଧ୍ୟରେ ଖାଦାନରେ ବ୍ଲାଷ୍ଟିଂ କରାଯାଇଥିଲା। ସେଥିରୁ ପଥର ଖଣ୍ଡ ଛିଟିକି ଅମିତଙ୍କ ମୁଣ୍ଡରେ ତଥା ଶରୀରର ବିଭିନ୍ନ ଅଙ୍ଗରେ ବାଜିବାରୁ ସେ ଗୁରୁତର ଆହତ ହୋଇଥିଲେ। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ବେଲପାହାଡ଼ ଟିଆର୍‌ଏଲ କ୍ରୋସେକି ଡାକ୍ତରଖାନା ନିଆ ଯାଇଥିଲା। ସେଠାରେ ପହଞ୍ଚିବାପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅମିତ ପରିବାରରେ ଏକମାତ୍ର ରୋଜଗାରକ୍ଷମ ଥିଲେ। ସେ ବିବାହିତ ଓ ତାଙ୍କର ୨ଟି ଛୋଟଛୋଟ କନ୍ୟା ସନ୍ତାନ ଥିବା ଜଣା ପଡ଼ିଛି।

ପ୍ରକାଶ ଯେ ଏ ଅଞ୍ଚଳରେ ଖଣି ଆଇନକୁ ଖୋଲା ଉଲ୍ଲଂଘନ କରାଯାଇ ବ୍ଲାଷ୍ଟିଂ କରାଯାଉଥିବା ଅଭିଯୋଗ ନୂଆ ନୁହେଁ। ଅଞ୍ଚଳବାସୀ ବର୍ଷ ବର୍ଷ ଧରି ପ୍ରାଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରୁଛନ୍ତି। ଜାନୁଆରି ୧୫ ତାରିଖରେ ସେମିତି ସରଣ୍ଡାମାଲ ପଞ୍ଚାୟତ ଅଞ୍ଚଳରେ ବେଆଇନ ଭାବେ ବ୍ଲାଷ୍ଟିଂ ହେବା ଫଳରେ ସରଣ୍ଡାମାଳ ହାଇସ୍କୁଲ ପରିସର ପର୍ଯ୍ୟନ୍ତ ପଥରଖଣ୍ଡ ଛିଟିକିଥିଲା। ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏ ସଂପର୍କରେ ଲୋକେ ପୁଲିସ ଓ ରାଜସ୍ବ ବିଭାଗରେ ଅଭିଯୋଗ କରିଥିଲେ। ତଥାପି ବ୍ଲାଷ୍ଟିଂ ହେଉଥିବାରୁ ଏବେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଯେଉଁମାନେ ଏସବୁ କରୁଛନ୍ତି ତାଙ୍କ ଉପରେ ପ୍ରଶାସନର ଅଙ୍କୁଶ ନଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଆଜିର ଘଟଣାର ଏକ ମାମଲା ବନହରପାଲି ପୁଲିସ ରୁଜୁ କରି ତଦନ୍ତ କରାଯାଉଥିବା ଆଇଆଇସି ପ୍ରଶାନ୍ତ ମେହେର କହିଛନ୍ତି।

ସମ୍ବନ୍ଧିତ ଖବର