ପିକନିକରେ ଆଉ ଏକ ଅଘଟଣ, ବ୍ରାହ୍ମଣୀ ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ 

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଜାମସେରା କୋଏଲ ନଦୀ ଘାଟ ପରି ଚାନ୍ଦିପୋଷ ବିରତୋଳି ବ୍ରାହ୍ମଣୀ ନଦୀ ଘାଟରେ ସମାନ ଅଘଟଣ ଘଟିଛି l ସାଙ୍ଗ ସହ ବଣଭୋଜି କରିବାକୁ ଯାଇଥିବାବେଳେ ନଦୀରେ ବୁଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି l ମୃତକ ଜଣକ ହେଲେ ଲହୁଣୀପଡ଼ା କୁଡାପଡ଼ାର ମାନସ ରଞ୍ଜନ  ମହାନ୍ତ l ଚାନ୍ଦିପୋଷ ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ବଣାଇ ସରକାରୀ ଡାକ୍ତରଖାନାକୁ ପଠାଇ ତଦନ୍ତ ଚଳାଇଛି l ସୂଚନା ମୁତାବକ ମାନସ ଗାଁର ଜଣେ ସାଙ୍ଗ ସହ  ବଣ ଭୋଜି କରିବାକୁ ବ୍ରାହ୍ମଣୀ ନଦୀ ବିରତୋଳା ଘାଟକୁ ବାହାରି ଥିଲେ l ଭୋଜି ସାରି ଅପରାହ୍ନ ପ୍ରାୟ ତିନିଟାରେ ଗାଧୋଇବାକୁ ନଦୀ ଭିତରକୁ ପଶିଥିଲେ l ପଥରେ ଗୋଡ଼ ଖସି ଯିବାରୁ ବୁଡି ଯାଇ ନିଖୋଜ ହୋଇ ଯାଇଥିଲେ l ସ୍ଥାନୀୟ ପୁଲିସ, ଅଗ୍ନିଶମ କର୍ମଚାରୀ ପ୍ରାୟ ଦେଢ ଘଣ୍ଟା ପରେ ମାନସଙ୍କ ଶବ ଉଦ୍ଧାର କରିଥିଲେ l

ସୂଚନାଯୋଗ୍ୟ, ଆଜି ବିଶ୍ରା ଜାମସେରା ଘାଟ କୋଏଲ ନଦୀରେ ବୁଡି ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ନିଖୋଜ ଅଛନ୍ତି। ମୃତକ ଦୁଇ ଛାତ୍ର ହେଲେ ସେକ୍ଟର -୧୮ର ଭୁବେଶ ପ୍ରସାଦ (୧୭), ଛେଣ୍ଡ କଲୋନିର ସୁଜନ ଶର୍ମା (୧୭)। ନିଖୋଜ ଛାତ୍ର ହେଲେ ସେକ୍ଟର ୫ର କୌଶିକ ମଲିକ (୧୬)। ସମସ୍ତ ଛାତ୍ର ସେକ୍ଟର ୫ ଦୀପିକା ଇଂରାଜୀ ସ୍କୁଲର ଯୁକ୍ତ ୨ରେ ପଢ଼ନ୍ତି। ବନ୍ଧମୁଣ୍ଡା ପୁଲିସ ମୃତ ଦୁଇ ଛାତ୍ରଙ୍କ ଶବ ଜବତ କରିଛି। ନିଖୋଜ ଛାତ୍ର କୌଶିକକୁ ଠାବ କରିବାକୁ ଅଗ୍ନିଶମ ଉଦ୍ଧାର କାମ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର