କାର୍‌ ଓଲଟି ଜଣେ ମୃତ, ୪ ଗୁରୁତର

ଯାଜପୁରସଦର : ଯାଜପୁର ଟାଉନ ଥାନା ଅନ୍ତର୍ଗତ କମାଗଡ଼ ଠାରେ ଆଜି ରାତିରେ କାର୍‌ ଓଲଟି ପଡ଼ିବା ଫଳରେ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଚାଳକ ସମେତ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଆଜି ରାତି ପ୍ରାୟ ୮ ଟା ସମୟରେ କମାଗଡ଼ ନିକଟରେ କାର୍‌ ନମ୍ବର ଓଆର-୦୨ବିଜେଡ୍-୮୬୭୬ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଯାଜପୁରଟାଉନ ମହାବୀର ଛକର ଷ୍ଟାର ଇଣ୍ଡିଆ ନୃତ୍ୟ ଅନୁଷ୍ଠାନର କଳାକାରମାନେ ଏହି କାର୍‌ରେ ପାଣିକୋଇଲିକୁ ଏକ ନୃତ୍ୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ରାସ୍ତାରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା। ଘଟଣା ସ୍ଥଳରେ ଯାଜପୁର ଟାଉନ ଥାନା ଅନ୍ତର୍ଗତ ବାଣପୁର ଗ୍ରାମର ରବୀନ୍ଦ୍ର ଜେନାଙ୍କ ଝିଅ ଉର୍ମିଳା(୧୮)ଙ୍କର ମୃତ୍ୟୁ ହୋଇଥିଲେ। ସେହିପରି କଟକ ବିରିଡ଼ି ଥାନା ଅଞ୍ଚଳର ସାଗରିକା ପ୍ରଧାନ, ଭଦ୍ରକର ଦୀପକ ନାୟକ, ଯାଜପୁର ଟାଉନ ଅଞ୍ଚଳର ମଧୁଲିକା ସାହୁ(୪୦) ଓ ତାଙ୍କ ଝିଅ ମୀନରବା (୧୦)ସାହୁ ଆହତ ହୋଇଛନ୍ତି। ଯାଜପୁର ଟାଉନ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏହି ଗାଡ଼ିରେ ୮ ଜଣ ଯାଉଥିବା ବେଳେ ୩ ଜଣଙ୍କ ପତ୍ତା ମିଳିନାହିଁ।

ସମ୍ବନ୍ଧିତ ଖବର