କୋଣାର୍କ (ବିଶ୍ୱଜିତ ରାଉତରାୟ): ସାଙ୍ଗମାନଙ୍କ ସହିତ ଚନ୍ଦ୍ରଭାଗାକୁ ଗାଧୋଇବାକୁ ଯାଇ ରବିବାର ଅପରାହ୍‌ଣରେ ଜଣେ ଆଇଟିଆଇ ଛାତ୍ର ସମୁଦ୍ରରେ ବୁଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ସୌରଜିତ ରାଉତ (୧୭) ନିଆଳିର ଏକ ଘରୋଇ ଆଇଟିଆଇ କଲେଜରେ ପଢୁଥିଲେ ଏବଂ ଏଠାରେ ସେ ସାଙ୍ଗମାନଙ୍କ ମେସରେ ରହୁଥିଲେ।

Advertisment

କଟକ ଜିଲ୍ଲା ନିଆଳି ଥାନା ଅର୍ନ୍ତଗତ କଣ୍ଟାପଡ଼ା ଅଞ୍ଚଳର କୋରକର ଗ୍ରାମର ସୌରଜିତ ଆଜି ସକାଳୁ ନିଜର ୮ ଜଣ ସାଙ୍ଗଙ୍କ ସହିତ କୋଣାର୍କ ବୁଲିବାକୁ ଯାଇଥିଲେ। ବୁଲାବୁଲି କରିବା ପରେ ସେମାନେ ଚନ୍ଦ୍ରଭାଗାସ୍ଥିତ ସମୁଦ୍ରକୁ ଗାଧୋଇବା ପାଇଁ ପ୍ରବେଶ କରିଥିଲେ। ଏହ ସୟମରେ ସୌମ୍ୟଜିତ ଅନ୍ୟ ସାଙ୍ଗମାନଙ୍କ ଅଜାଣତରେ ନିଖୋଜ ହୋଇ ଯାଇଥିଲେ। ଘଟଣାର ଅଳ୍ପ ସମୟ ପରେ ସାଙ୍ଗମାନେ ସୌରଜିତଙ୍କୁ ଉଦ୍ଧାର କରି କୋଣାର୍କସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହସ୍ପିଟାଲରେ ପହଂଚିବା ପରେ ସୌରଜିତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଚନ୍ଦ୍ରଭାଗା ସମୁଦ୍ରରେ ବାରମ୍ବାର ଏଭଳି ଘଟଣା ଘଟିବା ନେଇ ପୁରୀ ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଶନିବାର ଉଦ୍‌ବେଗ ପ୍ରକାଶ କରିଥିଲେ। ଆସନ୍ତା କୋଣାର୍କ ଉତ୍ସବ ପାଇଁ ସ୍ଥାନୀୟ ଯାତ୍ରୀ ନିବାସ ଠାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଶ୍ରୀ ସିଂ କହିଥିଲେ ଚନ୍ଦ୍ରଭାଗା ଭଳି ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀରେ ଲାଇଫ ଗାର୍ଡ଼ଙ୍କୁ ମୁତୟନ ନ କରିବା ଦୁର୍ଭାଗ୍ୟର ବିଷୟ। ତେଣୁ ଆସନ୍ତା ଡିସେମ୍ବରରୁ ସବୁଦିନ ପାଇଁ ଏଠାରେ ଲାଇଫ ଗାର୍ଡ଼ ମୁତୟନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସୂଚନାଯୋଗ୍ୟ ଡିସେମ୍ବର ୧ରୁ କୋଣାର୍କ ପରିସରରେ କୋଣାର୍କ ଉତ୍ସବ ଓ ଚନ୍ଦ୍ରଭାଗାରେ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ଅନୁଷ୍ଠିତ ହେବ। ବାଲୁକା କଳା ପ୍ରଦର୍ଶନୀରେ ୬ଟି ଦେଶରୁ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏହି ସମୟରେ ଦେଶ ବିଦେଶରୁ ବହୁ ଦର୍ଶକ ବୁଲିବାକୁ ଆସିବେ।

ଚନ୍ଦ୍ରଭାଗା ସମୁଦ୍ରରେ ଲାଇଫ ଗାର୍ଡ଼ ନ ଥିବାରୁ ଅନେକ ସମୟରେ ଏଭଳି ଘଟଣା ଘଟୁଛି। ଗତ ସପ୍ତାହରେ ୨ ଜଣ ଝିଅ ଓ ସେମାନଙ୍କର ବାପା ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ସେମାନଙ୍କୁ ସ୍ଥାନୀୟ ବ୍ୟବସାୟୀ ଓ ମତ୍ସଜୀବୀମାନେ ଉଦ୍ଧାର କରିଥିଲେ। ସେହିପରି ଗତ ଅକ୍ଟୋବରରେ ମଧ୍ୟ ଜଣେ ଲୋକଙ୍କୁ ସ୍ଥାନୀୟ ଲୋକେ ସମୁଦ୍ରରୁ ଉଦ୍ଧାର କରିଥିଲେ।