ପୁରୀ: ପୋଖରୀରେ ବୁଡ଼ି କଲେଜ ଛାତ୍ରଙ୍କ ମୃତ୍ୟୁ

ପୁରୀ: ବ୍ରହ୍ମଗିରି ଥାନା ଅନ୍ତର୍ଗତ ବାଲି ହରଚଣ୍ଡୀ ମନ୍ଦିର ନିକଟରେ ଥିବା ପୋଖରୀରେ ବୁଡ଼ଯିବାରୁ ମଙ୍ଗଳବାର ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ମୃତ କଲେଜ ଛାତ୍ର ରାଜେନ୍ଦ୍ର ବାରିକ ପୁରୀ ଜିଲ୍ଲାର ବ୍ରହ୍ମଗିରିସ୍ଥିତ ଏକ କଲେଜରେ ପଢୁଥିଲେ। ରାଜେନ୍ଦ୍ରଙ୍କର ଘର ପୁରୀ ଷ୍ଟେସନ କଲୋନି ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଆଜି ଅପରାହ୍ଣରେ ପ୍ରାୟ ୨୦ ଜଣ ଛାତ୍ର ବାଲି ହରଚଣ୍ଡି ମନ୍ଦିର ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ରାଜେନ୍ଦ୍ରର ଗୋଡ଼ ଖସିଯାଇଥିଲା। ଅନ୍ୟ ପିଲାମାନେ ପହଁରା ଶିଖିଥିବା ବେଳେ ରାଜେନ୍ଦ୍ର ପହଁରା ଶିଖି ନଥିଲେ। ଫଳରେ ସେ ପାଣିରେ ବୁଡ଼ି ଯାଇଥିଲେ। ପରେ ସାଙ୍ଗମାନେ ବହୁ ଖୋଜାଖୋଜି କରିବା ପରେ ରାଜେନ୍ଦ୍ରଙ୍କୁ ଉଦ୍ଧାର କରିଥିଲେ।

ଗୁରୁତର ଅବସ୍ଥାରେ ରାଜେନ୍ଦ୍ରଙ୍କୁ ପୁରୀ ଜିଲ୍ଲା ହସ୍‌ପିଟାଲକୁ ନିଆଯାଇଥିଲା। ହସ୍‌ପିଟାଲରେ ପହଂଚିବା ପରେ ରାଜେନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର