୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଡଙ୍ଗରିଗୁଡ଼ା ଠାରେ ୩୩ କେଭି ବିଦ୍ୟୁତ ଲାଇନ୍‌ କାମ କରୁଥିବା ସମୟରେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ଝରିଗାଁ ବ୍ଲକ୍‌ ଏକମ୍ବା ପଞ୍ଚାୟତ ଅନ୍ତର୍ଗତ ଧନପୁର ଗ୍ରାମର ଲଛମନ କଲାର (୨୫) ବୋଲି ଜଣାପଡ଼ିଛି। ଏହି ଘଟଣାରେ ଗୁରୁତର ଆହତ ଦୁର୍ଜନ ପନକା (୨୬)ଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ପାଇ ଡାବୁଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ ଏକ ଘରୋଇ ବିଦ୍ୟୁତ ଠିକା ସଂସ୍ଥାର ଠିକାଦାର ଝରିଗାଁର ହରେଶ ପଟ୍ଟନାୟକ ଡାବୁଗାଁ ସଦର ଡଙ୍ଗରିଗୁଡ଼ାଠାରେ ନିକଟ ଗରୁଡଗୁଡ଼ା ଗ୍ରିଡଠାରୁ ଡାବୁଗାଁ ସବ୍‌ଷ୍ଟେସନ ପର୍ଯ୍ୟନ୍ତ ବିଦ୍ୟୁତ୍‌ ପୋଲ ପୋତିବା ସହ ତାର ବିଛାଇବା କାମ କରାଉଥିଲେ। ସେ ଝରିଗାଁ ବ୍ଲକ୍‌ ଏକମ୍ବା ପଞ୍ଚାୟତ ଧନପୁର ଗ୍ରାମର ୬ ଜଣ ଶ୍ରମିକଙ୍କୁ କାର୍ଯ୍ୟରେ ଗତ ୬ ଦିନ ହେଲା ନିୟୋଜିତ କରିଥିଲେ।

ଆଜି ଅପରାହ୍ନ ପ୍ରାୟ ୨ ଘଣ୍ଟା ସମୟରେ ଏକ ଟ୍ରାକ୍ଟରରୁ ଲୁହା ବିଦ୍ୟୁତ ପୋଲ ଉଠାଇବା ସମୟରେ ସେହି ବିଦ୍ୟୁତ୍‌ ପୋଲ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଧନପୁରର ଲଛମନ କଲାର ସେହିଠାରେ ଅଚେତ ହୋଇଯାଇଥିଲେ। ଦୁର୍ଜନ ପନକା ଛିଟିକି ପଡ଼ି ଆହତ ହୋଇଥିଲେ। ଗ୍ରାମର ଅନ୍ୟ ଜଣେ ଶିଶୁ ଶ୍ରମିକ ଏହି ଘଟଣା ଦେଖି ସ୍ଥାନୀୟ ଲୋକଙ୍କୁ ସୂଚନା ଦେଇଥିଲା। ଏହା ପରେ ଗାଁ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଲଛମନ କଲାରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର