ହାତୀପଲ ଘଉଡାଇବାକୁ ଯାଇଥିଲେ ଯୁବକ, ହାତୀ ଆକ୍ରମଣରେ ଗଲା ଜୀବନ

କୁତ୍ରା: ଜୀବଜନ୍ତୁ ଯେତେବେଳେ ରାଗି ଯାଆନ୍ତି, ତା’ର ଫଳ କେତେ ଭୟଙ୍କର ହୋଇପାରେ ତାହା ରବିବାର ଅପରାହ୍ଣରେ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଅଞ୍ଚଳରେ ଦେଖିବାକୁ ମିଳିଛି। ବଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ କୁରୁଙ୍ଗାରେ ହାତୀପଲ ପଛରେ ଥିବା ଲୋକଙ୍କୁ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ଟେଙ୍ଗରାବାହାଲ ଗ୍ରାମର କିଶୋର ପ୍ରଧାନ। ହାତୀପଲର ଆକ୍ରମଣରେ କିଶୋର ଗୁରୁତର ହେବାରୁ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। କିଶୋର (୩୫)ଙ୍କୁ ହସ୍‌ପିଟାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ବନବିଭାଗର କୌଣସି ଅଧିକାରୀ ଅଥବା କର୍ମଚାରୀ ପହଞ୍ଚି ନାହାନ୍ତି।

ସୂଚନାଯୋଗ୍ୟ ଶନିବାର ବିଳମ୍ବିତ ରାତିରେ ଝାଡ଼ଖଣ୍ଡର ଏହି ହାତୀପଲ ପଞ୍ଚରାରୁ ଆସି କୁତ୍ରା ବ୍ଲକର ବହୁ ଧାନ ଖେତରେ ପଶି ଧାନ ନଷ୍ଟ କରିଥିଲେ। ବନ ବିଭାଗକୁ ଏବାବଦରେ ଆଜି ସକାଳୁ ଖବର ଦିଆଯିବା ପରେ ବିଭାଗୀୟ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀପଲକୁ ଘଉଡ଼ାଇବାର ପ୍ରୟାସ ଜାରି ରଖିଥିଲେ କିନ୍ତୁ ସେମାନେ ମଧ୍ୟାହ୍ଣରେ ଖାଇବାକୁ ଯାଇଥିଲେ। ଅପରାହ୍ଣରେ ହାତୀ ଘଉଡାଇବାର କାମକୁ ଜାରି ରଖିବାର ଥିଲା କିନ୍ତୁ ତା’ପୂର୍ବରୁ ହାତୀପଲ ରକ୍ତମୁଖା ହୋଇ ଜଣକୁ ଦଳି ଦେଇଛନ୍ତି।

କୁତ୍ରା ବ୍ଲକ ଅନ୍ତର୍ଗତ ଗଙ୍ଗାଜଳ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସୱେ କଡ଼ରେ ୧୬ଟି ହାତୀ ଅଛନ୍ତି। ହାତୀପଲରେ ଏକ ଚାରି ଦିନର ଛୁଆ ବି ଥିବା ଜଣାଯାଇଛି। ହାତୀମାନଙ୍କର ଦୌରାତ୍ମ୍ୟ ଯୋଗୁଁ ରାଉରକେଲା- ସମ୍ବଲପୁର ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବାର ଖବର ମିଳିଛି। ଉଭୟପଟୁ ଆସୁଥିବା ଶହ ଶହ ସଂଖ୍ୟକ ଯାନବାହନ ରାସ୍ତାରେ ଅଟକି ରହିଥିବାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର