ପୂର୍ବ ଶତ୍ରୁତାରୁ ଆକ୍ରମଣ: ଜଣେ ମୃତ, ଆକ୍ରମଣକାରୀ ଅଟକ

ଖୋର୍ଦ୍ଧା : ଖୋର୍ଦ୍ଧା ଉପକଣ୍ଠ ପଲ୍ଲା ଠାରେ ଆଜି ଭୋରରେ ଜଣେ ବ୍ୟକ୍ତିଙ୍କ ଆକ୍ରମଣରେ ଜଣେ ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଛି । ଆକ୍ରମଣକାରୀକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନାନୁସାରେ, ପଲ୍ଲା ଆଦିବାସୀ ସାହିରେ ରହୁଥିବା ବିଜୟ କୁମାର ନାୟକ (୩୫) ଜଣେ ଟ୍ରକ ଚାଳକ । ଆଜି ପ୍ରାୟ ଭୋର ୪ଟା ବେଳେ ଟ୍ରକ୍ ନେଇ ନିଜ ଘରକୁ ଆସିଥିଲେ । ଟ୍ରକ୍ ରଖି ଓହ୍ଲାଇବା ବେଳେ ସନ୍ତୋଷ ସାହୁ (୩୩) ହଠାତ୍ ପଛପଟରୁ ଆସି କାଠ ଫାଳିଆରେ ତାଙ୍କ ମୁଣ୍ଡକୁ ଆଘାତ ଦେଇଥିଲା । ଏଥିରେ ବିଜୟ ଘଟଣାସ୍ଥଳରେ ଟଳି ପଡ଼ିଥିଲେ । ଏନେଇ ପଡ଼ୋଷୀ ସୋମନାଥ ବାରିକ ବିଜୟଙ୍କ ପତ୍ନୀ ସସ୍ମିତାଙ୍କୁ ସୂଚନା ଦେଇଥିଲେ । ସେ ଟ୍ରକ୍ ନିକଟରେ ପହଂଚିବା ବେଳେ ଲହୁଲୁହାଣ ଅବସ୍ଥାରେ ବିଜୟ ଛଟପଟ ହେଉଥିବା ଦେଖି ପାଖପଡ଼ୋଷୀଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ତେବେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଏମ୍ସ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏନେଇ ଥାନା ଅଧିକାରୀ ତଥା ମାମଲାର ତଦନ୍ତାଧିକାରୀ ଉମାଶଙ୍କର ସିଂହ କହିଛନ୍ତି ଯେ ସନ୍ତୋଷ ସାହୁ ନିଜ ଘରେ ମଧ୍ୟ ଅନ୍ୟ ସଦସ୍ୟଙ୍କୁ ଗାଳିଗୁଲଜ ଓ ମାଡ଼ପିଟ କରେ । କିଛି ଦିନ ପୂର୍ବେ ବିଜୟଙ୍କ ପତ୍ନୀ ଓ ଝିଅକୁ ଗାଳିଗୁଲଜ କରିଥିବାରୁ ବିଜୟଙ୍କ ସହ ସନ୍ତୋଷଙ୍କ ଝଗଡ଼ା ହୋଇଥିଲା । ଆଜି ସେହି ରାଗ ସୁଝାଇବାକୁ ସନ୍ତୋଷ ବିଜୟଙ୍କୁ ଛକିବସି ଆକ୍ରମଣ କରିଥିଲେ । ଆକ୍ରମଣର ୪-୫ଘଣ୍ଟା ପରେ ଚିକିତ୍ସାଧୀନ ଅବସ୍ଥାରେ ବିଜୟଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ୭/୨୦୨୧ରେ ମାମଲା ରୁଜୁ କରାଯିବା ସହ ଆକ୍ରମଣକାରୀକୁ ଥାନାରେ ଅଟକ ରଖାଯାଇଛି ।

ସମ୍ବନ୍ଧିତ ଖବର