ଦେବଗଡ଼: ବିଲରେ ଚାଷ କାମ କରୁଥିବା ବେଳେ ବଜ୍ରପାତ ଯୋଗୁଁ ଶନିବାର ଅପରାହ୍ଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକ ଅନ୍ତର୍ଗତ କୁରୁଡଖମଣ ଗ୍ରାମର ପ୍ରେମମଂଜରୀ ପ୍ରଧାନ (୫୫) ଆଜି ଅପରାହ୍ଣରେ ନିଜ ଚାଷ ଜମିରେ କାମ କରୁଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ଫଳରେ ପ୍ରେମମଂଜରୀ ଅଚେତ ହୋଇ ପଡ଼ିଥିଲେ।

Advertisment

ନିକଟରେ ଥିବା ଅନ୍ୟ ବିଲରେ କାମ କରୁଥିବା ଲୋକେ ମହିଳାଙ୍କ ଚିତ୍କାର ଶୁଣି ଘଟଣାସ୍ଥଳକୁ ପହଂଚିଥିଲେ। ପରେ ତାଙ୍କୁ ପରିବାର ଲୋକଙ୍କ ସହାୟତାରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପ୍ରେମମଂଜରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନା ପାଇ ପୁଲିସ ହସ୍‌ପିଟାଲ ପହଂଚି ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ରବିବାର ପୋଷ୍ଟମର୍ଟମ ହେବ ବୋଲି ପୁଲିସ କହିଛି।