ସମ୍ବଲପୁର: ବାଇକ-ଅଟୋକୁ ଶକ୍ତ ଧକ୍କା ଦେଲା ବରଯାତ୍ରୀ ବସ୍‌, ବରିଷ୍ଠ ମହିଳାଙ୍କ ମୃତ୍ୟୁ, ୩ ଗୁରୁତର

ସମ୍ବଲପୁର: ବରଯାତ୍ରୀଙ୍କୁ ନେଇ ସମ୍ବଲପୁର ଜିଲ୍ଲା ଛକ ନିକଟସ୍ଥ ହନୁମାନ ମନ୍ଦିରକୁ ଆସିଥିବା ଏକ ବସ ରବିବାର ସନ୍ଧ୍ୟାରେ ବାଇକ ଆରୋହୀ ଓ ଅଟୋକୁ ଶକ୍ତ ଧକ୍କା ଦେଇଛି। ଫଳରେ ଏହି ଦୁର୍ଘଟଣାରେ ଜଣେ ବରିଷ୍ଠ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣଙ୍କୁ ଗୁରୁତର ଭାବେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ମହିଳାଙ୍କ ନାମ ସୁପ୍ତି ଦାସଗୁପ୍ତା (୮୧) ବୋଲି ଜଣାପଡ଼ିଛି।

ରିପୋର୍ଟ ଅନୁସାରେ ଜିଲ୍ଲା ସ୍କୁଲ ଛକ ରୁକସ୍‌ ହିଲ ଉପରୁ ବସ୍‌ (ଓଆର ୧୫ପି ୪୬୩୬) ତଳକୁ ଆସୁଥିବା ବେଳେ ନିୟନ୍ତ୍ରଣ ହରାଇ ଏକ ଅଟୋ ଓ ୨ଟି ବାଇକକୁ ଧକ୍କା ଦେଇଥିଲା। ହନୁମାନ ମନ୍ଦିରରେ ଆଜି ଅପରାହ୍ଣରେ ଏକ ବିବାହ ଉତ୍ସବ ଥିଲା। ବିବାହ ଶେଷ ହେବା ପରେ ବରଯାତ୍ରୀମାନେ ଭୋଜିଭାତ ଖାଇ ସାରିବା ପରେ ଘର ଅଭିମୁଖେ ବାହାରିବାକୁ ପ୍ରସ୍ତୁତ ହେଉଥିଲେ। ବସ୍‌ଟି ମୁଖ୍ୟ ରାସ୍ତାରେ ପହଂଚିବା ପରେ ଗୋଟିଏ ପରେ ଗୋଟିଏ କ୍ରମାଗତ ଦୁର୍ଘଟଣା କରିଥିଲା।

ବସ୍‌ରେ ୯ ଜଣ ଯାତ୍ରୀ ବସିଥିଲେ। ଚାଳକ ଭାରସାମ୍ୟ ହରାଇ ଜିଲ୍ଲା ସ୍କୁଲ ସମ୍ମୁଖରେ ଥିବା ଏକ ଚା’ ଦେକାନରେ ବାଇକ ରଖି ଚା’ ପିଉଥିବା କୁମ୍ଭାରପଡ଼ାର ଚିଣ୍ଟୁ ଘୋଷଙ୍କୁ ଧକ୍କା ଦେଇ ୨୦ ଫୁଟ ଘୋଷାରି ନେଇଥିଲା। ଏହି ଘଟଣା ପରେ ଭୁତାପଡ଼ା ଛକ ପଟରୁ ଲକ୍ଷ୍ମୀଟକିଜ ଅଭିମୁଖେ ଯାଉଥିବା ଏକ ଅଟୋ (ଓଆର ୧୫ ୭୪୦୬)କୁ ଧକ୍କା ଦେଇଥିଲା। ଅଟୋ ଚାଳକ ସେକ ସକିଲ (୩୩) ଓ ଯାତ୍ରୀ ସୁପ୍ତି ଛିଟିକି ପଡ଼ିଥିଲେ। ବରଯାତ୍ରୀ ବସ ପୁନଃର୍ବାର ଏକ ବାଇକକୁ ଧକ୍କା ଦେଇଥିଲା। ଏହି ଘଟଣାରେ ବାଇକ ଚାଳକ ତନ୍ମୟ ମହାରାଣା (୩୫) ଆହତ ହୋଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଦୁର୍ଘଟଣା ଘଟାଇବା ପରେ ବସ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର