୫୫ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତ୍ରା; ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ମୃତ

ଅନୁଗୁଳ: ସମ୍ବଲପୁରରୁ କଟକ ଜିଲ୍ଲାର ନିର୍ଗୁଣ୍ଡିକୁ ସଂଯୋଗ କରୁଥିବା ୫୫ ନମ୍ବର ଜାତୀୟ ରାଜପଥ ମରଣଯନ୍ତ୍ରା ପାଲଟିଛି। ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ସନ୍ତ୍ରୀ ଛକରେ ଆଜି ଅପରାହ୍‌ଣରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ଧଳପୁର ଅଞ୍ଚଳର ଅଜିତ ନନ୍ଦ ଏବଂ ଦୁଇ ଆହତ ହେଲେ ନୂଆହତା ଗ୍ରାମର ନାଲୁ ସାହୁ ଓ ନରସିଂହପୁର ଅଞ୍ଚଳର ସିଲୁ ନାୟକ ବୋଲି ଜଣାପଡିଛି।

ସୂଚନା ଅନୁସାରେ ଭୂଷଣ ଛକ ପାର୍ଶ୍ବରୁ ବଅଁରପାଳ ଆଡ଼କୁ ୩ ଜଣ ଲୋକ ଏକ ବାଇକ୍‌ରେ ଯାଉଥିଲେ। ଅପରାହ୍ନ ପ୍ରାୟ ୩ଟା ୪୫ରେ ପଛପଟରୁ ଏକ ଅଜଣା ହାଇୱା ଗଡ଼ସନ୍ତ୍ରୀ ଛକରେ ଧକ୍କା ଦେଇଥିଲା। ଫ‌ଳରେ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତରେ ୨ ଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଚାପା ଉତ୍ତେଜନା ଲାଗି ରହିଛି।

ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ହେଲା ୫୫ ନମ୍ବର ଜାତୀୟ ରାଜପଥର ନିର୍ମାଣ କାମ ଶେଷ ହୋଇପାରୁ ନାହିଁ। ଚାରି ଥାକିଆ ରାସ୍ତା କାମ ୨୦୧୭ ମସିହାରୁ ଚାଲିଛି। ଦୀର୍ଘ ୫ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ରାସ୍ତା କାମ ଶେଷ ହୋଇ ନ ପାରିବାରୁ କଦର୍ଯ୍ୟ ରାସ୍ତାରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି। ରାସ୍ତା ନିର୍ମାଣ କାମ ଶୀଘ୍ର ଶେଷ ହେଉ ନଥିବାରୁ ସ୍ଥାନୀୟ ଲୋକଙ୍କ ସମେତ ସମ୍ବଲପୁର, ସୋନପୁର, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, କଟକ ଆଦି ଜିଲ୍ଲାର ଲୋକଙ୍କର ଅସନ୍ତୋଷ ବଢ଼ିବାରେ ଲାଗିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ରାସ୍ତାକାମ ନିର୍ମାଣରେ ବିଳମ୍ବକୁ ନେଇ ନିକଟରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଧାରଣା ଦେଇଥିଲେ। ସାଂସଦ ଶ୍ରୀ ସାହୁ ଯେଉଁଠି ଧାରଣା ଦେଇଥିଲେ, ସେଠାରୁ ଅଳ୍ପ ଦୂରରେ ହିଁ ଆଜି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଚାପା ଉତ୍ତେଜନା ଦେଖାଯାଇଛି।

ସମ୍ବନ୍ଧିତ ଖବର