ଟ୍ରାକ୍ଟର ଧକ୍କାରେ ଜଣେ ମୃତ, ଉତ୍ତେଜିତ ଲୋକଙ୍କ ରାସ୍ତାରୋକ

ବିଂଝାରପୁର: ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଫତେପୁର ପଞ୍ଚାୟତ ମଲଆ ଯଜ୍ଞପଡ଼ିଆ ନିକଟରେ ଆଜି ଅପରାହ୍‌ଣରେ ଏକ ଟ୍ରାକ୍ଟର ଧକ୍କାରେ ଜଣେ ସ୍ଥାନୀୟ ଲୋକର ମୃତ୍ୟୁ ଘଟିଛି। ମୃତବ୍ୟକ୍ତି ହେଲେ ବଂଶୀପୁର ଗ୍ରାମର ଅରୁଣ ଦାସ(୫୫)। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ବିଂଝାରପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଛି।

ଆଜି ସନ୍ଧ୍ୟାରେ ମଲିଆ ଯଜ୍ଞପଡ଼ିଆ ନିକଟ ରାସ୍ତାରେ ବଂଶୀପୁର ଗ୍ରାମର ଅରୁଣ ଦାସ(୫୫) ଚାଲିଚାଲି ଯାଉଥିବା ବେଳେ ସେହି ଅଞ୍ଚଳର ଏକ ଟ୍ରାକ୍ଟର (ଓଡି ୨୨ ଏଫ ୯୬୫୩) ଭାରସାମ୍ୟ ହରାଇ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବରପାଇ ଆଇଆଇସି ନିରଂଜନ ଶବର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାସହ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ଜବତକରି ଥାନାରେ ଅଟକ ରଖିଛନ୍ତି। ପରେ ଏକ ୧୦୮ ଆମ୍ବୁଲାନ୍ସରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ଏନେଇ ବିଂଝାରପୁର ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ ଟ୍ରାକ୍ଟରର ଡ୍ରାଇଭର ଫେରାର୍ ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର