ସ୍କୁଟିକୁ ପିଟିଲା ଟ୍ରାକ୍ଟର, ଜଣେ ମୃତ  

ରାୟଗଡ଼ା: ରାୟଗଡ଼ା ସହରର ରେଲୱେ ଓଭରବ୍ରିଜ୍ ନିକଟରେ ସଂଧ୍ୟାରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କୁଟିକୁ ପଛରୁ ଭାରସାମ୍ୟ ହରାଇ ଟ୍ରାକ୍ଟର ପିଟିବା ଯୋଗୁ ଦାନିଆଲା ମୁନା (୩୦) ଙ୍କ ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ଶୁଣ୍ଢି ହରେଶଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସହରର ଆମ୍ବେଦକର ନଗରର ଦାନିଆଲା ମୁନା ଓ ଶୁଣ୍ଢି ହରେଶ ଏକ ସ୍କୁଟି ଯୋଗେ ବସଷ୍ଟାଣ୍ଡରୁ କପିଳାସ ଛକ ଅଭିମୁଖେ ଆସୁଥିଲେ। ଓଭରବ୍ରିଜ୍ ଚଢ଼ିବା ପୂର୍ବରୁ ସାମନାରୁ ଏକ ଗାଡ଼ି ଆସୁଥିବା ଦେଖି ଦାନିଆଲ ସ୍କୁଟିକୁ ସାଇଡ୍ କରୁଥିବା ବେଳେ ଚକ ରାସ୍ତାରେ ଥିବା ଏକ ଗର୍ତରେ ପଡି ଯାଇଥିଲା। ଏହି ସମୟରେ ପଛରୁ ଆସୁଥିବା ଟ୍ରାକ୍ଟର ଭାରସାମ୍ୟ ହରାଇ ସ୍କୁଟିକୁ ଧକ୍କା ଦେବା ଯୋଗୁ ଉଭୟ ସ୍କୁଟି ଆରୋହୀ ରାସ୍ତା ଉପରେ ଛିଟିକି ପଡିଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ମେଡ଼ିକାଲକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଦାନିଆଲ ମୁନାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ହରେଶଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବାରୁ ଚିକିତ୍ସା ଚାଲିଛି। ଖବର ପାଇ ରାୟଗଡ଼ା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗସ୍ତ ଗାଡ଼ିକୁ ଜବତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଶବ ସଂରକ୍ଷଣ ଗୃହରେ ରଖିଛି। ମୃତକଙ୍କ ସଂପର୍କୀୟ ମେଡ଼ିକାଲରେ ପହଞ୍ଚି ଘଟଣାକୁ ନେଇ ହୋ ହାଲ୍ଲା କରିବା ସହ କ୍ଷତିପୂରଣ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର