ଜୟପୁର: ଜୟପୁର ସଦରଥାନା ଅର୍ନ୍ତଗତ ଛାତଡିପୁଟ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ବାଇକ ପଛ ପଟେ ବସିଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ବୈପାରୀଗୁଡା ଥାନା ଅର୍ନ୍ତଗତ ନୂଆଗୁଡା ଗାଁର ରତନ ନାୟକ। ମୃତକଙ୍କୁ ଗୁରୁତର ଅବସ୍ଥାରେ ଶନିବାର ସଂଧ୍ୟାରେ ଜୟପୁରଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ଡାକ୍ତରଖାନାକୁ ପହଚିଂବା ବେଳକୁ ରତନଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର କହିଥିଲେ। ରବିବାର ଜୟପୁର ସଦରଥାନା ପୁଲିସ ଅପମୃତ ମାମଲା ରୁଜୁ କରି ଶବବ୍ୟାବଛେଦ କରାଇ ପରିବାରବର୍ଗକୁ ହସ୍ତାନ୍ତର କରିଥିବା କହିଛନ୍ତି ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି।
ସୂଚନା ଅନୁଯାୟୀ, ଶନିବାର ମୃତ ରତନ ଲଲିତ ନାମକ ଜୈନେକ ବ୍ୟକ୍ତିଙ୍କ ବାଇକର ପଛ ପଟେ ବସି ଯାଉଥିଲେ। ଛାତଡିପୁଟ ନିକଟସ୍ଥ କେନାଲ ରୋଡରେ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ରତନ ଦୂରକୁ ଛିଟିକି ପଡ଼ିଥିଲେ। ଏଥିରେ ତାଙ୍କ ମୁଣ୍ଡରେ ଗୁରୁତର ମାଡ଼ ବାଜିଥିଲା। ଗୁରୁତର ଅବସ୍ଥାରେ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ରତନକୁ ଅଣାଯାଇଥିଲା। ତେବେ ସେ ପହଚିଂବା ବେଳକୁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ପୁଲିସକୁ ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେବା ପରେ ସଦରପୁଲିସ ପକ୍ଷରୁ ଅପମୃତ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା। ରବିବାର ସକାଳୁ ଶବ ବ୍ୟବଛେଦ କରାଇ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଥିବା କହିଛନ୍ତି ସଦରଥାନା ଅଧିକାରୀ।