କାଜୁ ଜଙ୍ଗଲ ଲିଜକୁ କେନ୍ଦ୍ର କରି ସଂଘର୍ଷ ଓ ବୋମାମାଡ଼, ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

ବ୍ରହ୍ମପୁର: କାଜୁ ଜଙ୍ଗଲ ଲିଜକୁ କେନ୍ଦ୍ର କରି ଗଂଜାମ ଜିଲ୍ଲାରେ ଆଜି ଗୋଷ୍ଠୀ ସଂଘର୍ଷ ଓ ବୋମାମାଡ଼ ଘଟଣା ଘଟିଛି । ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ  ଘଟିଥିବା ବେଳେ ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ପ୍ରଭାକର ବିଶ୍ୱାଳ । ଆହତ ଅଶୋକ ରାଉତଙ୍କୁ ଚିକିତ୍ସା ଜାରି ରହିଛି ।

ସୂଚନା ଅନୁସାରେ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର କୋଦଳା ଥାନା ଅନ୍ତର୍ଗତ କୁମାରତାରି ଗାଁ ନିକଟରେ ଥିବା କୁମାରୀ-୧ କାଜୁ ଜଙ୍ଗଲକୁ କେନ୍ଦ୍ରକରି ଆଜି ସେଠାରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଲିଜଧାରୀମାନେ କାଜୁ ଖେତରେ କାଜୁ ଦେଉଥିବା ବେଳେ ସେହି ଅଞ୍ଚଳର କିଛି ଆଦିବାସୀମାନେ ଏହାକୁ ବିରୋଧ କରି ବୋମାମାଡ଼ କରିଥିଲେ । ଫଳରେ ବୋମାମାଡ଼ରେ ଗଂଜରବାଲା ଗ୍ରାମର ପ୍ରଭାକର ବିଶ୍ୱାଳଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ  ଘଟିଥିଲା । ସେ କାଜୁ ଖେତରେ କାମ କରୁଥିଲେ ।

ସେହିପିର ଆକ୍ରମଣରେ ଅନ୍ୟ ଜଣେ ଶ୍ରମିକ ଅଶୋକ ରାଉତ ଆହତ ହୋଇଛନ୍ତି । ମୃତ ଓ ଗୁରୁତରଙ୍କୁ ଖଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି । କୋଦାଳା ଥାନା ଆଇଆଇସି ଓ ପୁରୁଷୋତ୍ତମରପୁର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଘଟଣାରୁ ପ୍ରକାଶ ଯେ, ରାଜେନ୍ଦ୍ର ପାତ୍ର ନାମକ ଜଣେ ବ୍ୟକ୍ତି କୁମାରତାରି କାଜୁ ଜଙ୍ଗଲକୁ ୩ ବର୍ଷ ପାଇଁ ଲିଜ ସୂତ୍ରରେ ନେଇଥିଲେ । ସେହି କାଜୁ ଜଙ୍ଗଲକୁ ଅକ୍ଷୟ ବେହେରା ନାମରେ ଜଣେ ବ୍ୟକ୍ତି ଚୁକ୍ତି ଅନୁଯାୟୀ ଲିଜରେ ନେଇଥିଲେ । ଅକ୍ଷୟ ବେହେରୋ ଲିଜରେ ନେବା ପରେ ସ୍ଥାନୀୟ ଆଦିବାସୀମାନେ ଏହାକୁ ବିରୋଧ କରିଥିଲେ । ସେମାନେ କହିଥିଲେ, ଏଠାରୁ କାଜୁ ସଂଗ୍ରହ କରିବା ପାଇଁ ତମେମାନେ କିଏ ।

କାଜୁ ଜଙ୍ଗଲ ଲିଜକୁ ନେଇ ଗତ ୧୫ ଦିନ ପୂର୍ବରୁ ତିକ୍ତତା ଦେଖାଯାଇଥିଲା । ଏହାକୁ ନେଇ ତୀର ମାଡ଼ ମଧ୍ୟ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । କିନ୍ତୁ ସ୍ଥାନୀୟ ପ୍ରଶାସନ ଏହାକୁ ହାଲୁକା ଭାବରେ ନେଇଥିଲା । ଫଳରେ ଆଜି କାଜୁ ତୋଳୁଥିବା ବେଳେ ଆଦିବାସୀମାନେ ଆକ୍ରମଣ କରିଥିଲେ । ପୋଲିସ ଏହି ଘଟଣାରେ କାହାକୁ ଗିରଫ କରି ନଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର