ଝାରସୁଗୁଡା: ବଜ୍ରପାତରେ ଜଣେ ମୃତ, ତିନି ଜଣ ଆହତ 

ଲଇକେରା: ଝାରସୁଗୁଡା ଜିଲ୍ଲା ଲଇକେରା ଅଞ୍ଚଳରେ ଆଜି ମଧ୍ୟାହ୍ନ ସମୟରେ କାଳବୈଶାଖୀ ଯୋଗୁ ବର୍ଷା କୁଆପଥର ସହିତ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଆଜି ଅପରାହ୍ନ ସମୟରେ ହଠାତ ଘୋଟି ଆସିଲା କଳା ହାଣ୍ଡିଆ ମେଘ ସହ କୁଆପଥର ବର୍ଷା । ଗମ୍ଭାରୀଗୁଡା ଗ୍ରାମର ପରୀକ୍ଷିତ ଭଇଁସା (୨୮) ନିଜ ଘରେ ଥିବା ବେଳେ ବଜ୍ରପାତରେ ମୃତୁ ଘଟିଛି । ଗମ୍ଭାରୀଗୁଡା ଗ୍ରାମର ବର୍ଷା ବେହେରା (୧୬) ଓ କୁଲେମୁରା ଗ୍ରାମର ଶାଶୁ ମୁକ୍ତା ରୋହିଦାସ (୪୫) ଓ ବୋହୁ ସୁପ୍ରିୟା ରାଉତିଆ (୨୪) ନିଜ ଘରେ ଥିବା ବେଳେ ବଜ୍ରପାତରେ ଆହତ ହୋଇ ମୁଦ୍ରାଜୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

ଲଇକେରା ଥାନା ଅଧିକାରୀ ପ୍ରବୀର କେଶରୀ ତ୍ରିପାଠୀ ଘଟଣା ସ୍ଥଳରେ ପହଞ୍ଚି ମୃତ ପରୀକ୍ଷିତ ଭଇଁସାର ସବକୁ ଜବତ କରି ଆସନ୍ତାକାଲି ବ୍ୟବଚ୍ଛେଦ ପାଇଁ ଝାରସୁଗୁଡା ପଠାଇବା କହିଛନ୍ତି । ଏଥିସହ ଖଇରଡ଼ିହି ଓ କୁଲେମୁରା ଗ୍ରାମର ୧୦ ରୁ ଉର୍ଦ୍ଧ୍ବ ଗାଈ ବଜ୍ରପାତରେ ମୃତୁ ହୋଇଥିବା ଜଣାପଡିଛି । କୁଆପଥର ବର୍ଷାରେ ସାହାସପୁର ଗ୍ରାମର ଆନନ୍ଦ ଅଗ୍ରୱାଲଙ୍କ ସମେତ ଚାଷୀ ମାନଙ୍କ ଅମଳ ଧାନ ପାଣିରେ ଭିଜି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ବଜ୍ରପାତରେ ମୃତ୍ୟୁ ଘଟିଥିବା ମଣିଷ ଗାଈ ଗୋରୁ ସହିତ ଭିଜିଥିବା ଧାନର ଆକଳନ କରି କ୍ଷତିପୂରଣ ଦେବାପାଇଁ ଅଞ୍ଚଳ ବାସୀ ଦାବିକରିଛନ୍ତି । ଅନେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବାରୁ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି ।

ସମ୍ବନ୍ଧିତ ଖବର