ଛାତ ଭୁଶୁଡ଼ି ଜଣେ ଶ୍ରମିକ ମୃତ, ପରିବାର ଲୋକେ ଆଣିଲେ ଚିକିତ୍ସାରେ ଅବହେଳା ଅଭିଯୋଗ: ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଚାପା ଉତ୍ତେଜନା
ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ବାଲିସାହିରେ ଛାତ ଭୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଶ୍ରମିକ ହେଲେ ଅନୁଗୁଳ ପ୍ରଗତି ନଗର ଅଞ୍ଚଳର ସିପୁ ସାହୁ (୨୭)। ଏହି ଦୁର୍ଘଟଣାରେ ଆହତ ଅନ୍ୟ ୨ ଜଣ ଶ୍ରମିକ ଜୟନ୍ତ ସାହୁ ଓ ଅଜିତ ସାହୁଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ମୃତକଙ୍କ ପରିବାର ଲୋକେ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଡାକ୍ତରଖାନାରେ ଚାପା ଉତ୍ତେଜନା ଲାଗି ରହିଛି। ପୁଲିସ ପରିସ୍ଥିତି ଉପର ନଜର ରଖିଛି।
ସୂଚନା ଅନୁସାରେ ୫୫ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ପାଇଁ ବାଲିସାହିରେ ଆଜି ପୂର୍ବାହ୍ନରେ ଡିଲେଶ୍ୱର ମୁଦୁଲିଙ୍କର ଘର ଭଙ୍ଗାଯାଉଥିଲା। ଏହି କାର୍ଯ୍ୟରେ ସିପୁ ସାହୁଙ୍କ ସହିତ ଡେରଜାଙ୍ଗର ଜୟନ୍ତ ସାହୁ, ବଡ଼କେରାର ଅଜିତ ସାହୁ ଓ ବୀରେନ୍ଦ୍ର ସାହୁ ଓ ଘରମାଲିକ ଡିଲେଶ୍ୱର ମୁଦୁଲି ନିୟୋଜିତ ଥିଲେ। ଘରର ଛାତ ଉପରେ ମାଲିକ ଡିଲେଶ୍ୱର ଓ ବୀରେନ୍ଦ୍ର ଥିବା ବେଳେ ଛାତ ତଳେ ରହି କାମ କରୁଥିଲେ ସିପୁ, ଜୟନ୍ତ ଓ ଅଜିତ।
ଘଟଣା ବେଳେ ଘର ଛାତରେ ଥିବା ଲୁହାଛଡ଼ଗୁଡ଼ିକୁ କଟର ସାହାଯ୍ୟରେ କଟାଯାଉଥିଲା। ଝରକାକୁ ଭଙ୍ଗାଯାଉଥିବା ବେଳେ ଛାତ ଗଳିପଡ଼ିଥିଲା। ଫଳରେ ସିପୁ, ଜୟନ୍ତ ଓ ଅଜିତ ଗୁରୁତର ହୋଇଥିଲେ। ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସିପୁଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ଡିଲେଶ୍ୱର ଓ ବୀରେନ୍ଦ୍ର ସାମାନ୍ୟ ଆହତ ହୋଇଥିଲେ।
ରିପୋର୍ଟ ଲେଖାଯିବା ବେଳକୁ ସିପୁର ମୃତ୍ୟୁ ପରେ ପରିବାର ଲୋକେ ଚିକିତ୍ସାରେ ଅବହେଳା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି। ହସ୍ପିଟାଲରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବାରୁ ପୁଲିସ ଏଥି ପ୍ରତି ସତର୍କ ରହିଛି।