ଗଛରେ ପିଟି ହୋଇ ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ବୈପାରିଗୁଡା: ଗଛରେ ବାଇକ ପିଟି ହେବା ଫଳରେ ଆରୋହୀ ଗୁରୁତର ଭାବେ ଆହତ ହୋଇଥିବା ବେଳେ ପଛପଟେ ବସିଥିବା ସାଥିଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଦଣ୍ଡାବାଡି ପଞ୍ଚାୟତ ଡିଶାରୀଗୁଡା ଗ୍ରାମର ସଦା ନାୟକ (୩୭) ଓ ତାଙ୍କ ସାଥି ବନ୍ଧୁ ପୂଜାରୀ (୩୫) ଦୁହେଁ ମିଶି ମାଲକାନଗିରି ଜିଲ୍ଲାର ମାଥିଲି ଗ୍ରାମକୁ ଏକ ଏକୁଶିଆ ଉତ୍ସବରେ ଯୋଗ ଦେବା ପାଇଁ ଯାଇଥିଲେ। ଏକୁଶିଆ ଭୋଜି ଖାଇ ଦୁହେଁ ନିଜ ଗ୍ରାମ ଡିଶାରୀଗୁଡାକୁ ରାତିରେ ଫେରିଥିବା ବେଳେ ଦଣ୍ଡାବାଡି ଏବଂ ଚିପାକୁର ମଝିରେ ଥିବା ପାଙ୍ଗନପାଣି ଗ୍ରାମର ଘାଟି ରାସ୍ତାରେ ଗତକାଲି ରାତିରେ ଏକ ଗଛରେ ପିଟି ହୋଇ ଛିଟିକି ପଡ଼ିଥିଲେ। ଜଙ୍ଗଲିଆ ରାସ୍ତା ହୋଇଥିବାରୁ ସେହି ରାସ୍ତା ଦେଇ ରାତିରେ ଲୋକେ ଯିବା ଆସିବା କରନ୍ତି ନାହିଁ। ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ ହିଁ ବାଇକ ପଛପଟେ ବସିଥିବା ବନ୍ଧୁ ପୂଜାରୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସଦା ନାୟକ ଅଚେତ ଅବସ୍ଥାରେ ରାତିସାରା ପଡିରହିଥିଲେ।

ପରଦିନ ସକାଳୁ ସରପଞ୍ଚ ରାଜୁ ଖିଲ ଏବଂ ବିଜୟ ଖରା କୈାଣସି କାମରେ ସେହି ରାସ୍ତା ଦେଇ ଯାଉଥିବା ବେଳେ ଗୋଟିଏ ବାଇକ ରାସ୍ତା କଡ଼ରେ ଏକ ବୁଦା ମୂଳେ ପଡ଼ିଥିବା ଦେଖି, ନିକଟକୁ ଯାଇ ଦେଖିବା ବେଳେ ଦୁଇଜଣ ଏକ ବୁଦା ମୂଳେ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଛନ୍ତି। ତୁରନ୍ତ ରାମଗିରି ପୁଲିସକୁ ଖବର ଦେଇଥିଲେ। ରାମଗିରି ଫାଣ୍ଡି ଏଏସଆଇ ବଳରାମ ହିକକା ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସଦା ନାୟକଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ବନ୍ଧୁ ପୂଜାରୀ ଅଚେତ ଅବସ୍ଥାରେ ପଡ଼ି ରହିଛନ୍ତି। ଏକ ଅଟୋ ଯୋଗେ ଆହତ ବନ୍ଧୁଙ୍କୁ ରାମଗିରି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସୂଚନା ଅନୁଯାୟୀ, ରାତି ଅନ୍ଧାରରେ ଅଙ୍କାବଙ୍କା ରାସ୍ତାରେ ଗଛଟିକୁ ଦେଖି ନପାରି ପିଟି ହୋଇଯାଇଥିବା ଅନୁମାନ କରାଯାଉଛି। ସଦାର ମୃତଦେହ ଉଦ୍ଧାର କରିବା ସହ ଆଜି ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ରାମଗିରି ଫାଣ୍ଡି ଏଏସଆଇ ବଳରାମ ହିକକା ବାଇକକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର