ଅଟୋ ଡ୍ରାଇଭର ଓ ସହଯୋଗୀଙ୍କ ଆକ୍ରମଣରେ ଯୁବକ ମୃତ

୨ ଗୁରୁତର ଟାଟାଷ୍ଟିଲ୍‌ ହସ୍‌ପିଟାଲରେ ଚିକିତ୍ସାଧୀନ

ଯୋଡ଼ା: ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡ଼ା-ବିଚାକୁଣ୍ଡି ରାସ୍ତାରେ ଥିବା ଡି.ପି. ସିଂହ ପରିବହନ ସଂସ୍ଥା କାର୍ଯ୍ୟାଳୟ ନିକଟରେ ଦୁର୍ଘଟଣାକୁ କେନ୍ଦ୍ରକରି ତୁମୁଳକାଣ୍ଡ ଘଟିଛି। ଦୁର୍ଘଟଣା ପରେ ଜଣେ ଅଟୋ ଡ୍ରାଇଭର ଓ ତାଙ୍କ ସହଯୋଗୀଙ୍କ ମାଡ଼ରେ ପରିବହନ ସଂସ୍ଥାର ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ଏବଂ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଉତ୍ତରପ୍ରଦେଶ ଜନପୁର ଜିଲ୍ଲା କଟଲ ଥାନା ଅଞ୍ଚଳର ଦିବ୍ୟାସ ସିଂ (୩୦)। ସେହିପରି ଗୁରୁତରମାନେ ହେଲେ ରବିକିରଣ ସିଂହ ଓ ଦିଲୀପ ସିଂହ। ଉଭୟଙ୍କୁ ଟାଟାଷ୍ଟିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଲିସ ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ସାଢ଼େ ୧୦ଟା ବେଳେ କମାରଯୋଡ଼ା-ବିଚାକୁଣ୍ଡି ରାସ୍ତାରେ ପରିବହନ ସଂସ୍ଥାର ଏକ ବୋଲେରୋ (ଓଡି-୦୫-ଜେ-୫୫୮୬) ଗାଡ଼ିକୁ ପଛକୁ ନେଉଥିବା ବେଳେ ବିଚାକୁଣ୍ଡି ଆଡ଼କୁ ଯାଉଥିବା ଏକ ଅଟୋ (ଓଡି-୦୯-ଜି-୬୪୬୨) ସହ ଧକ୍କା ହୋଇଥିଲା। ଏହାକୁ କେନ୍ଦ୍ରକରି ବୋଲେରୋ ଓ ଅଟୋ ଡ୍ରାଇଭର ମଧ୍ୟରେ ପ୍ରବଳ ବଚସା ହୋଇଥିଲା। କିଛି ସମୟ ପରେ ଅଟୋ ଡ୍ରାଇଭର ୪ଜଣ ସହଯୋଗୀଙ୍କ ସହ ଡି.ପି. ସିଂହ ପରିବହନ ସଂସ୍ଥା କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଦିଲୀପ, ରବି ଓ ଦିବ୍ୟାସଙ୍କୁ ଲୁହାରଡରେ ନିସ୍ତୁକ ପିଟିଥିଲେ।

ଘଟଣାସ୍ଥଳରେ ଦିବ୍ୟାସଙ୍କ ମୃତ୍ୟୁ ଘଟିଥିଲେ। ରବି ଓ ଦିଲୀପ ଗୁୁରୁତର ହୋଇଥିଲେ। ଉଭୟଙ୍କୁ ଟାଟାଷ୍ଟିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ବଡ଼ବିଲ ଏସ୍‌ଡିପିଓ ହିମାଂଶୁ ବେହେରା ଓ ଯୋଡ଼ା ଥାନା ଅଧିକାରୀ ରାଇସେନ ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତିି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଯୋଡ଼ା ଥାନାରେ କେସ୍‌ ନମ୍ବର ୩୦/୨୦୨୧ରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ପୁଲିସ ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର