ଜିଆଇ ସୁରକ୍ଷା ବାଡାରେ ପିଟି ହୋଇ ଲାଖିରହିଲା ବାଇକ, ଜଣେ ମୃତ ଓ ଜଣେ ଆହତ

ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥରର କପାସପଡା ବୁଲାଣି ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତ ଯୁବକ ପାଟଣା ଥାନା ଡିଆନାଳୀ ଗ୍ରାମର ରଣଜିତ ମୁଣ୍ଡା(୩୭) ବୋଲି ଜଣାପଡିଛି। ସେ ତାଙ୍କ ପୁତୁରା ବିପିନ ମୁଣ୍ଡା(୧୫)ଙ୍କ ସହ କିଣିଥିବା ନୂଆ ବାଇକ ଯୋଗେ ଢେଙ୍କିକୋଟକୁ ବାଇକର କାଗଜପତ୍ର ଆଣିବା ପାଇଁ ଯାଇ ସେଠାରୁ ନିଜ ଗ୍ରାମ ଡିଆନାଳୀକୁ ଫେରୁଥିବା ସମୟରେ କପାସପଡା ବୁଲାଣି ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଲାଗିଥିବା ଜିଆଇ ସୁରକ୍ଷା ବାଡାରେ ବାଇକଟି ଭାରସାମ୍ୟ ହରାଇ ପିଟି ହୋଇ ଲାଖି ଯାଇଥିଲା।

ଫଳରେ ରଣଜିତଙ୍କ ମୁଣ୍ଡ ଫାଟି ଯାଇ ପ୍ରବଳ ରକ୍ତସ୍ରାବ ହୋଇଥିଲା। ମୂର୍ମୁଶ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ୧୦୮ ଯୋଗେ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ରଣଜିତ୍ ମୁଣ୍ଡାକୁ ମୃତ ଘୋଷଣା କରିଛନ୍ତି। ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ ଘଟଣାର ତଦନ୍ତ କରିବା ସହ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର