ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ

ଖୋର୍ଦ୍ଧା: ଆଜି ଅପରାହ୍ନରେ ଖୋର୍ଦ୍ଧା ଉପକଣ୍ଠ କଣ୍ଟା ଛକ ଠାରେ ଦୁଇ ମୋଟରସାଇକଲର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ତେବେ ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବାରୁ ପୁଲିସ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ। ତେବେ ସୂଚନାନୁସାରେ, ଖୋର୍ଦ୍ଧା ଶ୍ରୀବିହାରରେ ସୁଧୀର ପଟ୍ଟନାୟକଙ୍କ ପୁଅ ଓମ୍ ପ୍ରକାଶ ପଟ୍ଟନାୟକ ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ। ଆଜି ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ସେ କାର୍ଯ୍ୟାଳୟ କାମ ସାରି ନିଜ ମୋଟର ସାଇକଲ (ଓଡି ୦୨କ୍ୟୁ ୧୨୫୬)ରେ ଘରକୁ ଫେରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ସେକ୍ ଅଲିନୁର (ଓଆର୍ ୦୨ଏଡି୯୦୪୪) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ଓମ୍ ପ୍ରକାଶଙ୍କ ମୁଣ୍ଡକୁ ଗଭୀର ଆଘାତ ଲାଗିଥିଲା।

ପ୍ରଥମେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାଯାଇଛି। ତେବେ ଏନେଇ ଖୋର୍ଦ୍ଧା ଟାଉନ୍ ଥାନାର ଅତିରିକ୍ତ ଥାନା ଅଧିକାରୀ ପ୍ରଜ୍ଞା କରଙ୍କୁ ପଚାରିବାରେ ସେ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ଅନୁସନ୍ଧାନ କରିଛନ୍ତି। ଦୁର୍ଘଟଣାରେ ଆହତଙ୍କ ଭୁବନେଶ୍ୱରର କୌଣସି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ସୂଚନା ପାଇଛନ୍ତି। କିନ୍ତୁ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

ସମ୍ବନ୍ଧିତ ଖବର