ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ମୁଖ୍ୟରାସ୍ତାର ଗଞ୍ଜାପାରା ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି l ଯୁବକ ଜଣକ ଭବାନିପାଟଣା ଅଞ୍ଚଳର ଗୋପାଳ ମହାରଣା (୨୫) ବୋଲି ଜଣାପଡିଛି l ସୂଚନା ଅନୁଯାୟୀ ଗତକାଲି ଗୋପାଳ ଜୟପୁରଠାରେ ରହୁଥିବା ନିଜ ଭଉଣୀଙ୍କ ଘରୁ ଏକ ବାଇକ ଗାଡ଼ି ନମ୍ବର ଓଡି ୦୮ ୧୯୯୦ ଯୋଗେ ଜଣେ ସାଙ୍ଗକୁ ଛାଡିବା ପାଇଁ ଯାଉଛି କହି ବାହାରି ଯାଇଥିଲେ l ଆଜି ସକାଳ ପ୍ରାୟ ୬ଟା ସମୟରେ ରାଇଘର କୁନ୍ଦେଇ ମୁଖ୍ୟରାସ୍ତାର ଗଞ୍ଜାପାରା ନିକଟରେ ଗୋପାଳ ଏକ କାଠ ଗଣ୍ଡି ନିକଟରେ ବାଇକ ସହିତ ପଡ଼ି ରହିଥିବା ସେହି ରାସ୍ତା ଦେଇ ଯାଉଥିବା ଲୋକେ ଦେଖିଥିଲେ l ଏ ନେଇ ଖବର ପାଇ ରାଇଘର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ l

ପୁଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଗୋପାଳ ବାଇକ ଯୋଗେ ଯାଉଥିବାବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ କାଠ ଗଣ୍ଡିରେ ବାଡ଼େଇ ହୋଇ ଛିଟିକି ପଡ଼ି ମୃତ୍ୟୁବରଣ କରିଥିବା ଜଣାପଡିଛି | ଗତକାଲି ରାତ୍ରିରେ ପେଟ୍ରୋଲିଂ କରୁଥିବା ବେଳେ ଏପରି କୌଣସି ଘଟଣା ନଜରକୁ ଆସିନଥିବା ବେଳେ ଏହି ଘଟଣା ଭୋର ସକାଳୁ ଘଟିଥିବା ପୁଲିସ ଅନୁମାନ କରିଛି | ପ୍ରକାଶଥାଉକି ଗୋପାଳ ମହାରଣା ଭବାନୀପାଟଣା ନିବାସୀ ହୋଇଥିବା ବେଳେ ସେ ଶିଳ୍ପୀ କାରିଗର ଭାବେ ମନ୍ଦିର ନିର୍ମାଣ କାର୍ଯ୍ୟ କରନ୍ତି | କିଛିଦିନ ଧରି ସେ ଜୟପୁରରେ ଏକ ମନ୍ଦିର ନିର୍ମାଣ କାର୍ଯ୍ୟ କରି ଆସୁଥିଲେ l

ସମ୍ବନ୍ଧିତ ଖବର