ଟିପ୍ପର ବାଇକ ମୁହା ମୁହିଁ ଧକ୍କା, ଜଣେ ମୃତ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଜୁନା ପାଣି ଓ ଧନସରା ଗ୍ରାମ ମଧ୍ୟରେ ଆଜି ଦିନ ପ୍ରାୟ ସାଢେ଼ ୧୦ଟା ସମୟରେ ଏକ ଟିପ୍ପର ଓ ବାଇକ ମଧ୍ୟରେ ମୁହା ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ଛତିଶଗଡ ରାଜ୍ୟ କରପା ୱାଣ୍ଡ ଥାନା ମକା ଗାଁର ନରସିଂହ ଭତରା (୨୮) ବୋଲି ଜଣା ପଡିଛି। ଖବର ପାଇ ଡାବୁଗାଁ ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଟିପ୍ପର ଓ ବାଇକକୁ ଜବତ କରିଛନ୍ତି। ସୂଚନା ଅନୁଯାୟୀ, ଛତିଶଗଡ ରାଜ୍ୟ କରପା ୱାଣ୍ଡ ଥାନା ଅନ୍ତର୍ଗତ ମକାଗାଁର ନରସିଂହ ଭତରା ତା’ ନିଜ ଶ୍ଵଶୁର ଘର ଗାଁ ଡାବୁଗାଁ ଥାନା ଅନ୍ତର୍ଗତ ହଳଦୀ ଗ୍ରାମର ଜୟ ସିଂହ ଭତରା ଘରକୁ ଗତ କାଲି ଏକ ବାଇକ ନଂ ( ସିଜି୧୭କେଜି ୨୪୭୧) ଯୋଗେ କୌଣସି କାର୍ଯ୍ୟରେ ଆସିଥିଲା। କାର୍ଯ୍ୟ ସରିବା ପରେ ଆଜି ସକାଳ ୯ଟା ସମୟରେ ସେ ନିଜ ଗ୍ରାମ ମକାଗାଁ ଅଭିମୁଖେ ବାହାରିଥିଲା। ତେବେ ପୂର୍ବାହ୍ନ ପ୍ରାୟ ସାଢେ଼ ୧୦ଟା ସମୟରେ ଡାବୁଗାଁ ଥାନା ଅନ୍ତର୍ଗତ ଜୁନାପାଣି ଓ ଧନସରା ମଧ୍ୟରେ ଥିବା ଏକ ମନ୍ଦିର ନିକଟରେ ଧନସରା ଗ୍ରାମ ପଟୁ ଆସୁଥିବା ଏକ ଟିପ୍ପର ନଂ (ଓଡ଼ି ୧୮ ଏଚ ୮୧୧୮) ସହ ଭାରସାମ୍ୟ ହରାଇ ମୁହା ମୁହିଁ ଧକ୍କା ହୋଇଥିଲା।

ଏଥିରେ ବାଇକ ଚାଳକ ରାସ୍ତା ଉପରେ ଛିଟିକି ପଡ଼ିବା ସହ ଗୁରୁତର ଆହତ ହୋଇଥିଲା ଏବଂ ଘଟଣା ସ୍ଥଳରେ ହିଁ ନରସିଂହ ଭତରାର ମୃତ୍ୟୁ ଘଟିଥିଲା। ଏ ନେଇ ମୃତ ପରିବାର ଲୋକେ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୋଲିସ ଶବ ଜବତ କରି କେଶ ନଂ- ୮୮/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅନୁପସ୍ଥିତ କାରଣରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଛେଦ କରାଜାଇଥିଲା। ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ତଦନ୍ତ କାରି ପୁଲିସ ଅଧିକାରୀ ଏସଆଇ କୁଲଭୂଷଣ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର