ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଡୁମୁଣିଗୁଡ଼ା ଗ୍ରାମରେ ବୁଧବାର ଏକ ଅଘଟଣ ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ସେ ନିଜ ଚାଷ ଜମିରେ କାର୍ଯ୍ୟ କରୁଥିବା ସମୟରେ ଜମି ଉପର ଦେଇ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ମୃତ ଚାଷୀ ଜଣକ ସେହି ଗ୍ରାମର ଯଦୁ ସିଂହ (୬୨)। ଏ ନେଇ ମୃତକଙ୍କ ପରିବାର ଲୋକେ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ କରୁଛି।
ସୂଚନା ଅନୁଯାୟୀ, ଯଦୁ ବୁଧବାର ଅପରାହ୍ନ ପ୍ନିରାୟ ୪ଟାରେ ନିଜ ଚାଷ ଜମିର ମକା ବାଡରେ ପାଣି ଦେବା ପାଇଁ ଯାଇଥିଲେ। ଯଦୁ ଏକ ବଡ ବାଡିକୁ ଅନ୍ୟତ୍ର ରଖିବା ସମୟରେ ବାଡିଟି ଚାଷ ଜମି ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାରରେ ବାଜି ଯାଇଥିଲା। ଫଳରେ ଯଦୁ ସେଠାରେ ଅଚେତ ହୋଇପଡ଼ିଥିଲେ। ପରିବାର ଲୋକେ ଏହା ଜାଣି ତୁରନ୍ତ ତାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ଯଦୁଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ମୃତ ଯଦୁଙ୍କ ବୋହୂ ଲକ୍ଷ୍ମୀ ସିଂହ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଗୁରୁବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛି।