ଦେଓଗାଁ: ୪ ଦିନ ହେଲା ଗାଁରେ ଚାଲିଥିଲା ଆଧ୍ୟାତ୍ମିକ ନାମ ଯଜ୍ଞ। ବୁଧବାର ଥିଲା ଶେଷ ଦିନ। ଏହି ଅବସରରେ ଗାଁ ଲୋକେ କରୁଥିଲେ ନଗର ପରିକ୍ରମା। ଏଥିପାଇଁ କିଛି ଯୁବକ କରୁଥିଲେ ନିଶା ସେବନ। ହେଲେ ଏହି ନିଶା ବାଇକ ଦୁର୍ଘଟଣାରେ ଜୀବନ ନେଇଥିବା ବୋଲି ଏକ ଘଟଣା ଘଟିଛି ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡା ଫାଣ୍ଡି ଅଞ୍ଚଳରେ। ସିଂହାମୁଣ୍ଡା-ରାମଚନ୍ଦ୍ର ପୁର ରାସ୍ତାର ଖଲିଆପାଲିପାଲି ନିକଟରେ ଭାରସାମ୍ୟ ହରାଇ ଦୁଇଜଣ ଯୁବକ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ଗୁରୁତର ହୋଇଥିବା ବେଳେ ଜଣେ ମୃତ୍ୟୁବରଣ କରିଛି। ରାମଚନ୍ଦ୍ରପୁରରୁ ଖଲିଆପାଲିକୁ ଫେରୁଥିବା ବେଳେ ଦୁଇଜଣ ଯୁବକ ଖଲିଆପାଲି ଗାଁ ମୁଣ୍ଡରେରେ ନିର୍ମାଣ ଧୀନ ଥିବା ଆବର୍ଜନା କୁଣ୍ଡରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ।
ଏହି ଦୁଇଜଣ ଯୁବକ ହେଲେ ଖଲିଆପାଲି ଗାଁର ରମେଶ ରାଉତ ଓ ମାଉସୀ ପୁଅ ବେହେରା ପାଲି ଲକ୍ଷଣ ପଟେଲ। ଦୁଇଜଣ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ବନ୍ଧପଡା ପୁଲିସ ସାହାଯ୍ୟରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜକୁ ନେଇଥିଲେ। ହେଲେ ରମେଶର ମୃତ୍ୟୁ ହୋଇଥିବା ବେଳେ ଅଧିକ ଗୁରୁତର ହୋଇଥିବା ଲକ୍ଷଣକୁ ବୁର୍ଲା ଡାକ୍ତରଖାନାକୁ ନେଇଥିବା ଜଣାପଡିଛି।