ରାମପୁର: ହାତୀ ଆକ୍ରମଣରେ ପୁଣି ଜଣେ ନିରୀହ ‌ଲୋକଙ୍କ ଜୀବନ ଚାଲିଗଲା। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କାଣିଗୁମା ଗ୍ରାମପଞ୍ଚାୟତ ଅଧିନ ଟେଭାମହୁଲ୍ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଗୁରୁବାର ରାତି ପ୍ରାୟ ୧୦.୩୦ରେ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଗାଁ ଭିତରକୁ ପଶି ଆସିଥିବା ହାତୀ ଆକ୍ରମଣର ଶିକାର ହୋଇ ଗ୍ରାମର ଓ୍ବାର୍ଡ ମେମ୍ବର ପଞ୍ଚୁ ମାଝୀ(୫୦)ଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ହାତୀ ନିକଟ ଜଙ୍ଗଲ ଭିତରକୁ ଚାଲିଗଲା ପରେ ପଡ଼ୋଶୀମାନେ ତୁରନ୍ତ ଡାକ୍ତରଖାନାକୁ ନେବା ପାଇଁ ବାହାରି ଥିବା ବେଳେ କିଛି ସମୟ ମଧ୍ୟରେ ଜୀବନ ଚାଲି ଯାଇଥିବା କହିଛନ୍ତି ଗ୍ରାମବାସୀ। ଶୁକ୍ରବାର ସକାଳୁ ସୂଚନା ପାଇ, ଥୁଆମୂଳ ରାମପୁର ଦକ୍ଷିଣ ବନଖଣ୍ଡର ସାଇସୁରୁନୀ ରେଞ୍ଜର ଆସିଷ୍ଟାଣ୍ଟ କଞ୍ଜରଭେଟର ବିମଲ ଟୋପ୍ନୋ ବନବିଭାଗ କର୍ମଚାରୀମାନଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପରେ ଥୁଆମୂଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀ ଏବଂ ଏଏସ୍ଆଇ ଅଜୟ ନାଏକ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Advertisment

ଶବ ବ୍ୟବଚ୍ଛେଦ ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବା ପାଇଁ ଶବ ବାହକ ଗାଡ଼ି ଉପଲବ୍ଧ ନଥିବା ବେଳେ ସମାଜ ସେବୀ ନବୀନ ନାଏକ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରିଥିଲେ। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ କାଣିଗୁମା ସ୍ବାସ୍ଥ୍ୟ ସ୍ବରାଜ ଡାକ୍ତରଖାନାର ଅମ୍ବୁଲାନ୍ସ ପହଞ୍ଚିବା ପରେ ଉକ୍ତ ଗାଡ଼ିରେ ଶବ ବ୍ୟବଚ୍ଛେଦ ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି। ମୃତ ପଞ୍ଚୁ ମାଝୀଙ୍କ ପରିବାର ପ୍ରତିପୋଷଣର ବୋଝ ବର୍ତ୍ତମାନ ସ୍ତ୍ରୀ ନାରିଙ୍ଗ ଦେଇଙ୍କ ଉପରେ। ଏପରି ସ୍ଥଳେ ମୃତକ ପରିବାରକୁ ବନ ବିଭାଗ ପକ୍ଷରୁ ୬ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ଆସିଷ୍ଟାଣ୍ଟ କଞ୍ଜରଭେଟର ଟୋପ୍ନୋ ସୂଚନା ଦେଇଛନ୍ତି। କାଣିଗୁମା ସରପଞ୍ଚ ଧ୍ରୁବ ଚରଣ ମାଝୀ, ଉପେନ୍ଦ୍ର ନାଏକ ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ରହି ସହଯୋଗ କରିଥିଲେ। ଗାଁ ଭିତରକୁ ହାତୀଙ୍କ ପଶି ଆସିବା ଏବଂ ଏଭଳି ଧନ ଜୀବନ ପ୍ରତି ବିପଦ ଆସୁଥିବା ବିଷୟକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଘରୁ ନ ବାହାରିବା ପାଇଁ ସତର୍କ ସୂଚନା ଦେଇ ଲୋକଙ୍କୁ ପରାମର୍ଶ ଦେଇଥିବା ବେଳେ ଏଥିପ୍ରତି ସଚେତନତା ସୃଷ୍ଟି କରିବାକୁ ପ୍ରୟାସ ମଧ୍ୟ ରହିଛି ବୋଲି ଟୋପ୍ନୋ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।