ଟ୍ରକ୍‌ କ୍ୟାବିନରେ ଚାପିହୋଇ ଚାଳକ ମୃତ

ବଲାଙ୍ଗୀର: ବଲାଙ୍ଗୀର-ସମ୍ବଲପୁର ୨୬ ନମ୍ବର ଜାତୀୟ ରାଜପଥ ଶଙ୍କରଭୋଜି ଛକ ନିକଟରେ ଦୁଇଟି ଭାରୀଯାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଗୋଟିଏ ଗାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ଅନ୍ୟ ଗାଡ଼ି (ଓଡି ୨୩ ଏମ ୯୯୪୧) ଚୂରମାର ହୋଇଯାଇଛି। ଏହାର ଚାଳକ ଗାଡ଼ିର କ୍ୟାବିନରେ ଚାପିହୋଇ ପ୍ରାଣ ହରାଇଛନ୍ତି। ମୃତ ଚାଳକ ବ୍ରଜରାଜନଗର ଅଖିଳେଶ ଯାଦବ (୩୦ବର୍ଷ) ବୋଲି ଜଣାପଡ଼ିଛି। ଲୋଇସିଂହା ଅଗ୍ନିଶମ ବିଭାଗ ରାତି ୩ଟାରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା।

ଅଗ୍ନିଶମ କର୍ମଚାରୀମାନେ କ୍ୟାବିନକୁ କଟରରେ କାଟି ଚାଳକଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ଆଣିଥିଲେ। ଡାକ୍ତର ଏଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଇନ୍ତଲା ଥାନା ପୁଲିସ ପରିବାର ଲୋକଙ୍କୁ ଖବର ଦେଇଥିଲା। ଶବ ବ୍ୟବଚ୍ଛେଦ ପ‌ରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର