ସଂକ୍ରମଣ କମୁଛି, କିନ୍ତୁ ମୃତ୍ୟୁ ସଂଖ୍ୟା ବଢ଼ୁଛି, ୫୭ ଦିନରେ ୧୫୪ ମୃତ୍ୟୁ

ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଂଚଳରେ କରୋନା ଦ୍ୱିତୀୟ ଲହର ସଂକ୍ରମଣ ବର୍ତମାନ ହ୍ରାସ ପାଉଛି। ମାର୍ଚ୍ଚ-ଏପ୍ରିଲ୍ ମାସରେ ସଂକ୍ରମଣ ସଂଖ୍ୟା ମୋଟ ପରୀକ୍ଷଣର ୧୦ରୁ ୧୨ ପ୍ରତିଶତ ଥିଲା ବର୍ତ୍ତମାନ ଏହା ହ୍ରାସ ପାଇ ୨.୩ ପ୍ରତିଶତକୁ ପହଂଚିଛି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ମାର୍ଚ୍ଚ ମାସରୁ ଆରମ୍ଭ ହୋଇଯାଇଥିଲା। ତେବେ ଏହାକୁ ପରିସଂଖ୍ୟାନ ଅନୁସାରେ ବ୍ୟବସ୍ଥିତ କରିବାକୁ ଏପ୍ରିଲ୍ ପହିଲାରୁ ଗଣନା ଆରମ୍ଭ କରାଯାଇଥିଲା। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଦୈନିକ ଜାରି କରାଯାଉଥିବା ପରିସଂଖ୍ୟାନରେ, ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହର ଅଧିକ ବ୍ୟାପକ ଥିଲା। ପ୍ରଥମ ଲହରରେ ୨୦୨୦ ଏପ୍ରିଲ୍ ପହିଲାରୁ ୨୦୨୧ ମାର୍ଚ୍ଚ ଶେଷ ଯାଏଁ ୧୩ ହଜାର ୫୦୫ଜଣ ସଂକ୍ରମିତ ହୋଇଥିବା ବେଳେ ୫୭ଜଣଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ଦ୍ୱିତୀୟ ଲହରରେ, ମାତ୍ର ୪ ମାସ ମଧ୍ୟରେ ୧୪,୪୬୯ ଜଣ ସଂକ୍ରମିତ ହୋଇଛନ୍ତି।

କିନ୍ତୁ ଯେଉଁ ସମୟରେ ଜିଲ୍ଲାର ଗ୍ରାମାଂଚଳରେ ସଂକ୍ରମଣ ଶୀର୍ଷରେ ଥିଲା ସେହି ସମୟରେ ପ୍ରଶାସନ ପକ୍ଷରୁ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ପ୍ରକାଶ କରାଯାଇନଥିଲା। ଦିଆଯାଇଥିବା ତଥ୍ୟରେ ଚଳିତ ବର୍ଷ ମଇ ୨୭ ତାରିଖ ଯାଏଁ ଗ୍ରାମାଂଚଳରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିନଥିବା ବେଳେ ୨୮ ତାରିଖରେ ପ୍ରଥମ ଥର ପାଇଁ ୭ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା। ଜୁନ୍ ୧ ତାରିଖରେ ଏହି ସଂଖ୍ୟା ବୃଦ୍ଧି ପାଇ ୧୧ରେ ପହଂଚିଥିଲା। ଆଜି ସୁଦ୍ଧା ଏହି ମୃତ୍ୟୁ ସଂଖ୍ୟା ୧୫୪ ଛୁଇଁଛି। ଜୁଲାଇ ପ୍ରଥମ ସପ୍ତାହରୁ ଗ୍ରାମାଂଚଳରେ ସଂକ୍ରମଣ ସଂଖ୍ୟା ଦଇ ଅଙ୍କ ମଧ୍ୟରେ ସ୍ଥିର ରହିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ସଂକ୍ରମିତଙ୍କ ଠାରୁ ସର୍ବାଧିକ ରହିଛି। ଜୁଲାଇ ପହିଲାରେ ଗ୍ରାମାଂଚଳରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୧୫ ରହିଥିଲା। ଏହି ସମୟରେ ୭୧ଜଣଙ୍କ ମୃତ୍ୟୁ ଘଟିଥିଲା। ଆଜି ଜିଲ୍ଲାରେ ୩୦୧ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫୪ ରହିଛି। ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା କିଭଳି ବୃଦ୍ଧି ପାଉଛି ସେନେଇ ସନ୍ତୋଷଜନକ ଉତ୍ତର ସ୍ୱାସ୍ଥ୍ୟ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ ମିଳିପାରିନାହିଁ।

ସମ୍ବନ୍ଧିତ ଖବର