ଜୟପୁର: ଲକ୍ଷ୍ମୀପୁରଥାନା ଅଂଚଳର ଜୈନେକା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ‌ ମାମଲାର ରାୟ ଶୁଣାଇଛନ୍ତି ପକ୍ସୋ କୋର୍ଟ ସ୍ବତନ୍ତ୍ର ବିଚାରପତି। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ କୁନୁ ଗରଡ଼ାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

Advertisment

୨୦୧୯ମସିହାରେ ପୀଡ଼ିତା ଜଣକ କାକିରିଗୁମ୍ମା ଥାନା ଅଂଚଳରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟରେ ସପ୍ତମରେ ପଢ଼ୁଥିଲେ। ସେ ସମୟରେ ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଶଙ୍କରଡ଼ା ଗାଁର ଅଭିଯୁକ୍ତ କୁନୁ ପିଡ଼ୀତାଙ୍କ ସଂପର୍କୀୟ ଭାଇ ହୋଇଥିବାରୁ ଆସି ରହିଥିଲେ। ପାରିବାରିକ ସଂପର୍କୀୟ ହୋଇଥିବାରୁ ପିଡ଼ୀତାଙ୍କୁ ଗତ ୨୦୧୯ମସିହା‌ରେ ଅଭିଯୁକ୍ତଙ୍କ ଭଉଣୀ ଟିକିରୀ ଥାନା ଅନ୍ତର୍ଗତ ଗୌଡ଼ଗୁଡାଗାଁରେ ରହୁଥିବାରୁ ସେଠାକୁ ବୁଲାଇ ଆଣିବାକୁ କହି ନେଇଥିଲେ। ଗୌଡ଼ଗୁଡାରେ ଘ‌ରେ କେହି ନଥିବା ସୁଯୋଗରେ ପିଡ଼ୀତାଙ୍କ ଇଛା ବିରୋଧରେ ଜୋର ଜବରଦସ୍ତ ଅଭିଯୁକ୍ତ ଦୁଷ୍କର୍ମ କରିଥିଲେ। ପରବର୍ତ୍ତୀ ସମୟରେ ବାହା ହେବାକୁ କହି ନାବାଳିକା ପିଡ଼ୀତାଙ୍କୁ ତାଙ୍କ ଶଙ୍କରଡ଼ା ଘରକୁ ଆଣି ରଖିଥିଲେ। ସେଠାରେ ତାଙ୍କ ଇଛା ବିରୋଧରେ ଦୁଷ୍କର୍ମ କରି ଆସୁଥିଲେ। ଏହି ସ୍ଥିତିରେ ଗତ ୨୦୨୧ମସିହାରେ ପିଡ଼ୀତା ଜଣକ ୫ମାସ ଗର୍ଭବତୀ ହେବା ପରେ ଘରୁ ତଡ଼ିଦେଇଥିଲେ। ପିଡ଼ୀତା ଜଣକ ଘରକୁ ଯାଇ ରହିବା ସହ ଗତ ୨୦୨୧ମସିହାରେ ଲକ୍ଷ୍ମୀପୁର ଗୋଷ୍ଠୀଚିକିତ୍ସା କେନ୍ଦ୍ରରେ ଗୋଟିଏ ଝିଅକୁ ପ୍ରସବ କରିଥିଲେ। ଝିଅ ଜନ୍ମ ହେବା ପରେ ବହୁ ଆଲୋଚନା ପରେ ଅଭିଯୁକ୍ତଙ୍କ ପରିବାର ନେଇକି ରଖିଥିଲେ। ସେଠାକୁ ନେବା ପରେ ମାନସିକ, ଶାରୀରୀକ ନିର୍ଯାତନା ସ୍ବାମୀ, ଶାଶୁ ଓ ଶ୍ବଶୁର ଦେଇ ଆସୁଥିଲେ। ତେଣୁ ସେ ଘର ଛାଡ଼ି ନିଜ ବାପାଙ୍କ ଘରକୁ ପଳାଇ ଆସିଥିଲେ। ଏହା ପରେ ଅଭିଯୁକ୍ତ କାହାରି କଥା ବୁଝୁନଥିବା ଅଭିଯୋଗ କରି ଗତ ୨୦୨୩ ଜାନୁଆରୀ ୧୪ତାରିଖ ଦିନ ଲକ୍ଷ୍ମୀପୁର ଥାନା‌‌ରେ ଏତଲା ଦେଇଥିଲେ। ପୁଲିସ ଅଭିଯୁକ୍ତ କୁନୁକୁ ଦଫା ୩୬୩,୩୭୬(୩), ୩୭୬(୨)(ଏଫ), ୨୯୪,୩୨୩,୩୪ ଓ ପକ୍ସୋ ଆକ୍ଟ ୪(୨) ୬ରେ ମାମଲା ରୁଜୁ କରି କୋର୍ଟକୁ ଚାଳାଣ କରିଥିଲେ। ସଂପ୍ରତି ଅଭିଯୁକ୍ତ କୁନୁ ଜେଲରେ ଥିବା ବେଳେ ମାମଲାର ସାକ୍ଷୀ ବିଚାର କୋର୍ଟରେ ହୋଇଥିଲା। ୩ଜଣ ସାକ୍ଷୀ ଦେଇଥିଲେ। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ କୁନୁ ନିର୍ଦ୍ଦୋଷରେ ଖଲାସ ହୋଇଛି। ଏହି ମାମଲାକୁ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ନାନାଜୀ ଆଚାରୀ ଓ ସହଯୋଗୀ ପରିଚାଳନା କରୁଥି‌ଲେ।