ଲୁଟ ଉଦ୍ୟମ ବିଫଳ ହେବା ପରେ ଫେରାର ୨ ଲୁଟେରାଙ୍କ ପୁଲିସ ଗାଡି ସହ ଧକ୍କା, ଜଣେ ମୃତ

ଝାରସୁଗୁଡ଼ା: ଲୁଟ ଉଦ୍ୟମ ବିଫଳ ହେବା ପରେ ଫେରାର ୨ ଲୁଟେରାଙ୍କ ପୁଲିସ ଗାଡ଼ି ସହ ଧକ୍କା ହୋଇଛି। ଦୁର୍ଘଟଣାରେ ଜଣେ ଲୁଟେରାଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣକୁ ଗୁରୁତର ଭାବେ ଟିଆରଏଲ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଲୁଟେରା ଧର୍ମେନ୍ଦ୍ର ଖଡ଼ିଆ ମୃତ ହୋଇଥିବା ବେଳେ ଅନ୍ୟ ଜଣେ ସହଯୋଗୀର ଅବସ୍ଥା ଗୁରୁତର ଅଛି।

ସୂଚନା ଅନୁସାରେ ଆଜି ଅପରାହ୍ନ ୨ ଟାରେ ଦୁଇ ଜଣ ଲୁଟେରା ଭାରତ ଫାଇନାନ୍ସ କମ୍ପାନୀର ଜଣେ ଏଜେଣ୍ଟଙ୍କୁ ଲୁଟ କରିବାକୁ ଉଦ୍ୟମ କରିଥିଲେ। ଲୁଟ ଉଦ୍ୟମ ବିଫଳ ହେବା ପରେ କଳା ପଲସରରେ ଦ୍ରୁତ ବେଗରେ ପଳାୟନ କରିଥିଲେ। ଏହି ସମୟରେ ଏଜେଣ୍ଟ ଜଣକ ପୁଲିସକୁ ସୂଚନା ଦେଇଥିଲେ।

ଲୁଟେରାଙ୍କ ବାବଦରେ ସୂଚନା ମିଳିବା ପରେ ଲଖନପୁର ପୁଲିସ ଓ ବନହରପାଲି ପୁଲିସ ପ୍ରସ୍ତୁତ ହୋଇଯାଇଥିଲା। ବନହରପାଲି ଥାନା ଅନ୍ତର୍ଗତ ବନ୍ଧବାହାଲ ଫାଣ୍ଡି ଅଧିକାରୀ ଅଶୋକ ଦାଶ ରେମେଣ୍ଡା ରାସ୍ତାରେ ସର୍ଚ୍ଚ ଅପରେସନ ପାଇଁ ବାହାରି ଥିବା ବେଳେ ଲୁଟେରାମାନେ ସେରଓ୍ଵାଲବାହାଲ ନିକଟରେ ସାମ୍ନା ପଟରୁ ଆସି ପୁଲିସ ଗାଡ଼ି ସହ ଧକ୍କା ଦେଇଥିଲେ। ଫଳରେ ଦୁର୍ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଘଟଣାସ୍ଥଳରୁ ମାଉଜର, ଛୁରୀ ଆଦି ଜବତ କରିଛି। ଏସ୍‌ପି ଅଶ୍ୱିନୀ ମହାନ୍ତି ଏସଂକ୍ରାନ୍ତରେ ସନ୍ଧ୍ୟା ୫ଟା ୩୦ରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି।

ସମ୍ବନ୍ଧିତ ଖବର