ମକାବାଡ଼କୁ ଯାଉଥିଲେ ଚାଷୀ, ଭାଲୁ ଆକ୍ରମଣରେ ଲହୁଲୁହାଣ ହୋଇ ହସ୍ପିଟାଲରେ ଭର୍ତ୍ତି

କାଶୀପୁର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କୁଚେଇପଦର ଗ୍ରାମରେ ଆଜି ସକାଳେ ନିଜର ମକାବାଡ଼ ଜଗିବାକୁ ଯାଉଥିବା ବେଳେ ବାଟରେ ଜଣେ ଚାଷୀଙ୍କୁ ହଠାତ ଏକ ଭାଲୁ ମାରଣତ୍ମକ ଆକ୍ରମଣ କରିଛି। ଗୁରୁତର ଅବସ୍ଥାରେ ତାଙ୍କୁ କାଶୀପୁର ପରେ ରାୟଗଡା ମୁଖ୍ୟ ଚିକିତ୍ସାଳୟ ପରେ ସ୍ଥିତି ସଙ୍କଟାପନ୍ନ ହେଇଯିବରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଗୁରୁତର ଚାଷୀ ହେଲେ ଜଗଦୀଶ ମାଝି ।

ସୂଚନା ପ୍ରକାରେ ଦୋରଗୁଡା ଥାନା ଅନ୍ତର୍ଗତ କୁଚେଇପଦର ଗ୍ରାମର ଜଗଦୀଶ ମାଝି, ପିତା ପାଇଲ ମାଝି (୪୦) ନୀତିଦିନ ଭଳି ଆଜି ପ୍ରାତଃ ପ୍ରାୟ ୪ଟା ୩୦ରେ ଡଙ୍ଗାସିଲ ବାଟରେ ଥିବା ଭଳିଆ ଡଙ୍ଗର ତଳେ ଥିବା ନିଜର ମକାବାଡ଼କୁ ଯାଉଥିଲେ । ପାହାନ୍ତିଆ ଅନ୍ଧାର ହେଇଥିବା ବେଳେ ମକାବାଡ଼କୁ ଯାଉଥିବା ସମୟରେ ରାସ୍ତା କଡ଼ ବୁଦା ମୂଳେରେ ଥିବା ଭାଲୁ ହଠାତ ଜଗଦୀଶ ମାଝୀଙ୍କୁ ଆକ୍ରମଣ କରିଥିଲା । ଏଥିରେ ଜଗଦୀଶ ଗୁରୁତର ହେଇଯାଇଥିବାବେଳେ ଘଟଣା ଖବର ଜାଣି ଆଖପାଖ ଅନ୍ୟ ଲୋକ ତାଙ୍କୁ ଭାଲୁ କବଳରୁ ବଞ୍ଚାଇ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ କାଶୀପୁର ମେଡିକାଲରେ ଭର୍ତି କରିଥିଲେ । କାଶୀପୁର ଠାରେ ପ୍ରାଥମିକ ଚିକିତ୍ସା ପରେ ଜଗଦୀଶ ମାଝୀଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସ୍ଥିତି ଗମ୍ଭୀର ହେଇଥିବାରୁ ବର୍ତ୍ତମାନ ଜଗଦୀଶଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ତୁରନ୍ତ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର